

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ନିର୍ବାଚନ ପାଇଁ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତାରାତାରିଣୀ ପୀଠରେ ମା’ଙ୍କୁ ଦର୍ଶନ କରିବା ପରେ ସେ ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଦିନ ୧୧.୧୦ ମିନିଟ ସମୟରେ ନବୀନ ପଟ୍ଟନାୟକ ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସର ସଚ୍ଚିଦାନନ୍ଦ ନାୟକଙ୍କ ନିକଟରେ ୪ ସେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀ ପତ୍ର ଗୁଡିକର ପ୍ରସ୍ତାବକ ଭାବେ ଥିଲେ ସୁରେନ୍ଦ୍ର ପ୍ରଧାନ, ଶରତ ପାତ୍ର, ସାରସ ସ୍ୱାଇଁ ଓ ବୈଜୟନ୍ତୀମାଲା ପଟ୍ଟନାୟକ । ଏହି ସମୟରେ ଜିଲ୍ଲାର ବହୁ ଦଳୀୟ ନେତା ଉପସ୍ଥିତ ରହିଥିଲେ । ସେମାନେ ହେଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରା, ବ୍ରହ୍ମପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଆସିକା ସାଂସଦ ପ୍ରାର୍ଥୀନୀ ପ୍ରମିଳା ବିଷୋୟୀ, ଆସିକା ବିଧାନସଭା ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀନୀ ଲତିକା ପ୍ରଧାନ, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହାସହ ଆଇନଜୀବୀ ବି. ଶ୍ରୀନିବାସ ରାଓ, ମନୋଜ ବେହେରାଙ୍କ ସମେତ ବହୁ ଦଳୀୟ ନେତାମାନେ ଉପସ୍ଥିତ ଥିଲେ । ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଲେ ଏଥର ବହୁର ଆସନରେ ଜିତିବ ବିଜେଡି । ସେ ଖୁବ୍ଶୀଘ୍ର ବିଜେପୁର ଆସନ ପାଇଁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ମଧ୍ୟ କହିଥିଲେ । ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ନବୀନ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ସେ ହିଞ୍ଜିଳି ସହିତ ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ହିଞ୍ଜିଳି ପାଇଁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପୁରରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ଏପ୍ରିଲ୍ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ୍ ୧୮ ତାରିଖରେ ହେବ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା













