ହିଞ୍ଜିଳି ସହରକୁ ସୁସ୍ଥ ସୁନ୍ଦର ରଖିବା ପାଇଁ ଜିଲ୍ଲାପାଳଙ୍କ ପ୍ରୟାସ :ନିଜେ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟରେ ବ୍ୟସ୍ତ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗଞ୍ଜାମ ଜିଲ୍ଲାପାଳ । ହାତରେ ଝାଡୁ ଧରି ରାସ୍ତା ସଫେଇ କରୁଛନ୍ତି । ନିଜ ହାତରେ ଅଳିଆ ଉଠାଇ ନେଉଛନ୍ତି । ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ଉଦାହରଣ ସୃଷ୍ଟି କରୁଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବିଜ୍ଞାପିତ ଅଞ୍ଚଳରେ ଲୋକଙ୍କୁ ସମାଜସେବାରେ ଉତ୍ସାହିତ କରିବା ନିମନ୍ତେ ଗସ୍ତ କରିଛନ୍ତି । ସେ ନିଜେ ସଫେଇ କରି ଉଦାହରଣ ସୃଷ୍ଟି କରିବା ସହ ହିଞ୍ଜିଳି ବିଜ୍ଞାପିତ ଅଞ୍ଚଳକୁ ସଫା ସୁତାର ରଖିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳ ସଫେଇ କରୁଥିବା ଦେଖି ହିଞ୍ଜିଳି ସହରର ସମସ୍ତ ସରକାରୀ କର୍ମଚାରୀମାନଙ୍କ ସମେତ ନେତା, କର୍ମୀ ଓ ଗ୍ରାମବାସୀ ରୁଣ୍ଢ ହୋଇଛନ୍ତି । ଜିଲ୍ଲାପାଳଙ୍କ ଏଭଳି ସେବା କାର୍ଯ୍ୟକୁ ପ୍ରଶଂସା କରି ସମସ୍ତେ ସହରକୁ ସଫା ରଖିବା ପାଇଁ ହାତରେ ଝାଡୁ ଧରି ସଫେଇ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାପାଳଙ୍କ ଏହି ବାର୍ତ୍ତା ସମସ୍ତ ଲୋକଙ୍କ ହୃଦୟକୁ ଛୁଇଁଛି । ସହର ସଫା ରଖିଲେ କୌଣସି ରୋଗ ବ୍ୟାଧି ହେବ ନାହିଁ । ମଶା, ମୂଷାଙ୍କ ଉପଦ୍ରଵ ମଧ୍ୟ କମିଯିବ । ଫଳରେ ରୋଗ ସଂକ୍ରମଣ ଓ ଆକ୍ରମଣରୁ ସହରର ଜନତା ରକ୍ଷା ପାଇବେ । ଜିଲ୍ଲାପାଳଙ୍କ ଏହି ସନ୍ଦେଶ ଲୋକଙ୍କ ପାଖରେ ପହଞ୍ଚି ପାରିଥିବା ଜାଣିବାକୁ ମିଳିଛି । ତେଣୁ ସହରବାସୀ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ