କବି-ମଂଜୁଳ କବି-ବଂଜୁଳ
ହେ ଗଡନାୟକ ତୁମେ,
ତୁମରି ରଚିତ କାବ୍ୟ-କୋଣାର୍କ
ଦେଖିଚୁଁ ପଢିଚୁଁ ଆମେ
କଳାର ସେ କଉଶଳ-
ଦୃଷ୍ଟିରେ ଆଣେ ବିସ୍ମୟତା ସେ
ସୃଷ୍ଟିରେ ବିରଳ ।।
ନବୀନ-ଉଷାର ସ୍ବଚ୍ଛ-କିରଣେ
ଉଦ୍ ଭାସଧରାପରି,
ତୁମରି ସୃଷ୍ଟି ମାନସେ ମାନସେ
ଉଦ୍ ବେଗ ଦେଲାଭରି ।
ଜାଗିଲା ଜନତା-ଜଡ-
ଚଟୁଳ-ଦୃଷ୍ଟି ଖେଳାଇ ଦେଖିଲା
ବିପ୍ଳବର ସେ ଝଡ ।।
ମରୀଚିକା ପଥେ ମରୁଦୁର୍ଗମ
ହତାଶା ରାଗିଣୀ ତୋଳେ,
ତୁମ କବିତାର ମଧୁ-ଝଂକାର
ଶୁଭିଯାଏ ଏତେବେଳେ
ସଂଚାରେ ନବ ପ୍ରାଣ –
ବେପଥୁ ଜାଗଇ ଶିରାରେ ଶିରାରେ
ଚେଇଁ ଉଠେ ନିଷ୍ପ୍ରାଣ ।।
ସକଳ ବେଦନା ହଜିଯାଏ କାହିଁ
ତୁମରି ସୃଷ୍ଟି ତଳେ
ଭାବ ଗମ୍ଭୀର ଚିତ୍ତେ ପାଠକ
ଚାହେଁତା ମୁଗ୍ଧ ଡୋଳେ
ଶବ୍ଦର ପଟୁଆର-
ରଚିଚି କି ଅବା ଇନ୍ଦ୍ରଜାଲ ଏ
କାବ୍ୟର କୁଂଜେ ତାର।।
ଶବ୍ଦେ ଗଢିଚ ସଉଧର ମାଳା
ଛନ୍ଦର କାରିଗର,
ମଣି ମୁକ୍ତାର ପୁଟ ଦେଇଅଛ
ଆହେ ବିଦ୍ବାନବର
ବିନ୍ଧାଣୀ ମହାମତି-
ସୃଷ୍ଟି ତୁମର ଚିର ସୁନ୍ଦର
ସାଧନାର ମହାଯତି ।।
କାବ୍ୟସଦନେ ପୂଜ୍ୟ ପୂଜାର
ଅର୍ଘ୍ୟ ଦେଇଚ ବାଢି,
ସାକାର କରିଚ ସୃଷ୍ଟିକୁ ତୁମ
କବିତା ମନ୍ତ୍ର ପଢି-
ଆହେ ଚିର ସଂଧାନୀ-
ବାକ୍ ଦେବୀ ବର- ପୁତ୍ର ହେ ତୁମେ
ସାର ସ୍ବତ ବିଜ୍ଞାନୀ ।।
* * *
କୈଳାସ ଚନ୍ଦ୍ର ପାଢୀ । କୁମାର ପୁର । ଭଦ୍ରକ ।