ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ କୋଟସାହି ପଞ୍ଚାୟତର ଡିଙ୍ଗାଶୋଳ ଗ୍ରାମର ଜନୈକ ବିଦେଶ ଫେରନ୍ତାଙ୍କ ହୋମ୍ କ୍ଵାରେନଣ୍ଟାଇନରେ ରହିବାକୁ କେନ୍ଦ୍ର କରି ଆଜି ଅପରାହ୍ନରେ ଗ୍ରାମର କିଛି ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରିବା ଏବଂ ଆନ୍ଦୋଳନରେ ବସିବା ଚଚ୍ଚାର ବିଷୟ ହୋଇଛି । ଗାଁର ଗୋପାଳ ଚନ୍ଦ୍ର ଦାସ ମହାପାତ୍ରଙ୍କ ପୁଅ ପ୍ରିୟରଞ୍ଜନ ସାଉଦିଆରବରେ ରହୁଥିବା ବେଳେ କୋଭିଦ୍-୧୯ ସଂକ୍ରମଣ ଯୋଗୁଁ ଗାଁକୁ ଫେରିଛନ୍ତି । ସେ ଗାଁ କ୍ୱାରେନଣ୍ଟାଇନ୍ କେନ୍ଦ୍ରରେ ନ ରହି ନିଜ ଘରେ ରହିଥିବାର ଖବର ପ୍ରଚାରିତ ହେବା ପରେ ସେହି ଗାଁର ଚିନ୍ମୟ ଦାସ ମହାପାତ୍ର, ଦିଲ୍ଲିପ ଦାସ ମହାପାତ୍ର, ଗୋପାଳ ଜେନା, ହରେକୃଷ୍ଣ ପ୍ରମାଣିକ, ମହେଶ୍ୱର ବେହେରା, ବଳରାମ ଜେନା, ଅଶୋକ ଜେନା, ଦେବିଦାସ ପଣ୍ଡା, ଜଗବଂଧୁ ଜେନା, ଦିନବନ୍ଧୁ ଜେନା, ପବିତ୍ର ଜେନା ପ୍ରମୁଖ ଏହାକୁ ବିରୋଧ କରି ଗାଁ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନରେ ବସିଛନ୍ତି । କିନ୍ତୁ ଏ ସଂପର୍କରେ ଗୋପାଳ ଦାସ ମହାପାତ୍ରଙ୍କ ମତାମତ ଲୋଡିବାରୁ ସେ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ନିଜ ପୁଅ ପ୍ରିୟରଞ୍ଜନକୁ ହୋମ କ୍ଵାରେନଣ୍ଟାଇନରେ ରଖିଥିବା ପ୍ରକାଶ କରିଛନ୍ତି । ଏ ସଂପର୍କରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଏ ସଂପର୍କରେ ବିଡିଓଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରି ନ ଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା