୧୦ମ ଗୋଷାଣୀ ପଞ୍ଚାୟତ ସମିତି ବୈଠକ : ଲାଇନ୍ ଡିପାର୍ଟମେଣ୍ଟ ଗୁଡିକର କାର୍ଯ୍ୟଶୈଳିକୁ ନେଇ ଉଦ୍ ବେଗ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୋଷାଣି ପଞ୍ଚାୟତ ସମିତିର ୧୦ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଏନ୍‌.ବୀରରାଜୁଙ୍କ ସଭାପତିତ୍ୱ ରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସାଂସଦ ପ୍ରତିନିଧି ଜଗନ୍ନାଥ ପରିଡା ଉପସ୍ଥିତଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଷାଣି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ଏସ୍‌.ଅନୁସୂୟା ଦେବୀ, ଜିଲ୍ଲା ପରିଷଦ ସଭ୍ୟ ଏସ୍‌.ବାଲାରାଜୁ, ଜିଲ୍ଲାପରିଷଦ ସଭ୍ୟା ଏନ୍‌. ପାରିଗା, ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କୁମାରୀ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକ ପୂର୍ବରୁ ବିଧାୟକଙ୍କ ପ୍ରଥମ ଥର ପଞ୍ଚାୟତ ସମିତି ବୈଠକରେ ଯୋଗଦାନ କରିବା ଅବସରରେ ତାଙ୍କୁ ଗୋଷାଣି ବ୍ଲକ ଛକ ଠାରୁ ବାଦ୍ୟବାଜଣା ସହ ପାଛୋଟି ଆଣାଯାଇଥିଲା । ବୈଠକ ପ୍ରାରମ୍ଭରେ ବିଧାୟକ ଏବଂ ନୂତନ ଭାବେ ଯୋଗଦେଇଥିବା ବିଡିଓ ଶ୍ରୀ ପଟ୍ଟନାୟକଙ୍କୁ ପଞ୍ଚାୟତ ସମିତି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ ଜିପିଇଓ ଅଶୋକ ପାତ୍ର । ଏହି ବୈଠକରେ ବହୁ ସରପଞ୍ଚ ଏବଂ ସମିତି ସଭ୍ୟସଭ୍ୟା, ବିଭାଗୀୟ ଅଧିକାରୀ, ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲା ବେଳେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କ ଦେଖା ନଥିଲା । ଯାହାକୁ ନେଇ ବ୍ଲକର ରାସ୍ତାଘାଟ ଓ କୋଠାବାଡି ଆଦି ସମ୍ପର୍କରେ ଆଲୋଚନା ହୋଇପାରିନଥିଲା । ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମେତ ସମସ୍ତ ଜନପ୍ରତିନିଧିମାନେ ଉଦ୍ ବେଗ ପ୍ରକାଶ କରିବା ସହ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ମତ ଦେଇଥିଲେ । ବୈଠକରେ କୃଷି, କ୍ଷୁଦ୍ର ଜଳସେନ, ଶିକ୍ଷା, ଉନ୍ନୟନ କାମ, ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଦ୍ୟୁତ, ରାଜସ୍ୱ ବିଭାଗ, ଜଳ ବିଭାଜିକା ମୃତିକା ସଂରକ୍ଷଣ, ଜଙ୍ଗଲ ଓ ପରିବେଶ, ଉଦ୍ୟାନ, ପଶୁ ପାଳନ, ମହିଳା ଓ ଶିଶୁ ବିଭାଗ, ଖାଉଟି ଓ ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ, ଉଠା ଜଳସେଚନ ଆଦି ସହ ଅନ୍ୟାନ୍ୟ ବିଷୟକୁ ନେଇ ଆଲୋଚନା ଓ ସମୀକ୍ଷା କରାଯାଇଥିଲା । ତେବେ ବୈଠକରେ ବିଭାଗୟ ଅଧିକାରୀମାନେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରୁ ନଥିବାରୁ ଜନପ୍ରତିନିଧିମାନେ ଉଦ୍ ବେଗ ପ୍ରକାଶ କରିଥିଲେ । ବୈଠକରେ ବିଧାୟକ ଶ୍ରୀ ପାଣିଗ୍ରାହୀ ସମସ୍ତ ଜନହିତକର କାର୍ଯ୍ୟକୁ ତ୍ବରାନ୍ବିତ କରିବା ଏବଂ ଲୋକଙ୍କ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଯିବା ଉପରେ ଗୁରୁତ୍ବାରୋପ କରିଥିଲେ । ଏହା ସହ ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଜଳସେଚନ ଆଦିରେ ଉପୁଜୁଥିବା ସମସ୍ୟା ଗୁଡିକୁ ଯୁଦ୍ଧକାଳୀନଭିତ୍ତିରେ ଦାୟିତ୍ବ ତୁଲାଇବା ପାଇଁ ଗୃହରେ ଉପସ୍ଥିତ ଲାଇନ୍ ଡିପାର୍ଟମେଣ୍ଟ୍ ଅଧିକାରୀଗଣଙ୍କୁ ପରାମର୍ଶ ଦେଇଥିଲେ ।

ରିପୋର୍ଟ :କୃଷ୍ଣ କୁମାର ବେହେରା