

ମୋହନା (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଅଡ଼ବା ଥାନା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଗଛ କାଟିଛନ୍ତି । ଅଡ଼ବା ଥାନା ଅନ୍ତର୍ଗତ ଗୁର୍ଡମ କୁଡିକିମା ଓ ତେଲେଙ୍ଗାପଡା ଗାଁ ନିକଟସ୍ଥ ୫୪ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ କାଟିବା ପରେ ନିଆଁରେ ପୋଡ଼ି ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୧୦ କୋଟି ୮୦ ଲକ୍ଷ ଟଙ୍କା ହେବ । ଏହି ଗଞ୍ଜେଇ ନଷ୍ଟ ଅଭିଯାନରେ ଆର.ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତି, ଅଡ଼ବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ଓ ଅବକାରୀ ଇନ୍ସପେକ୍ଟର ପଦ୍ମ ଚରଣ ସାହୁଙ୍କ ସମେତ ଥାନା କର୍ମଚାରୀ, ଅବକାରୀ ଓ ବନ କର୍ମଚାରୀ ପ୍ରମୁଖ ସାମିଲ ଥିଲେ । ପ୍ରତେକ ବର୍ଷ ଏହିଭଳି ମୋହନା ଓ ଅଡ଼ବା ଅଂଚଳରେ ଅବକାରୀ ବିଭାଗ ଓ ପୋଲିସ ଚଢ଼ାଉ କରି ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ବେଳେ ତଥାପି ଆଦିବାସୀ ଦୁର୍ଗମ ଅଞ୍ଚଳରେ ଏହିଭଳି ବେଆଇନ ଗଞ୍ଜେଇ ଚାଷକୁ ଅଞ୍ଚଳବାସୀ ଆପଣାଉଛନ୍ତି । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା


