୧୦ ହଜାର ଲେଖାଏଁ କାଳିଆ ଯୋଜନା ଦାବୀରେ ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ପ୍ରତିନିଧି ମଣ୍ଡଳୀର ଧାରଣା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କାଳିଆ ଯୋଜନାରେ ଅର୍ଥ ହ୍ରାସ ନିଷ୍ପତ୍ତିର ରଦ୍ଦ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଗତ ନିର୍ବାଚନ ପୂର୍ବରୁ ନବୀନ ସରକାର କାଳିଆ ଯୋଜନା ଘୋଷଣା କଲାବେଳେ ସାଧାରଣରେ ତିନୋଟି ପ୍ରତିଶ୍ରୁତି ରଖିଥିଲେ । ପ୍ରଥମେ କହିଥିଲେ ୭୦ ଲକ୍ଷ ଚାଷୀ କାଳିଆ ଯୋଜନାରେ ଉପକୃତ ହେବେ । କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ, ଭୂମିହୀନ ସମସ୍ତେ ଏଥିରେ ଉପକୃତ ହେବେ । ନିର୍ବାଚନ ଜିତିବାର ୨୪ଘଣ୍ଟା ମଧ୍ୟରେ ସମସ୍ତଙ୍କ ଜନଧନ ଆକାଉଣ୍ଟକୁ ଏହି ଟଙ୍କା ଯିବ । ତୃତୀୟରେ ଜଣେ ବି ଯୋଗ୍ୟ ଚାଷୀ କିଭଳି କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ, ସେ ଦାୟିତ୍ୱ ମୋର ବୋଲି କହିଥିଲେ । ଦୁର୍ଭାଗ୍ୟର କଥା ନବୀନ ସରକାର ୫ ଥର ମୁଖ୍ୟମନ୍ତ୍ରୀ ହେଲା ପରେ ନା ୭୦ ଲକ୍ଷ ଚାଷୀଙ୍କୁ କାଳିଆ ଦେଲେ ନ ଯୋଜନାର ସ୍ୱଚ୍ଛତା ରହିଲା । ପ୍ରଥମ କିସ୍ତି ୨୪ ଲକ୍ଷ ଚାଷୀ ପାଇନଥିବା ବେଳେ ଦ୍ଵିତୀୟ କିସ୍ତି ୪୦ ଲକ୍ଷ ଚାଷୀ ପାଇନାହାନ୍ତି । ଏହା ବିରୁଦ୍ଧରେ ଆମେ ପ୍ରତିବାଦ କଲେ ମଧ୍ୟ ପ୍ରଶାସନ ଏ ନେଇ ମୂଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ରାସ୍ତା ବାହାର କରୁନାହାନ୍ତି । ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ପିତୃସତ୍ୟ ପାଳି ନିଜେ ୧୪ ବର୍ଷ ବନବାସ ଯାଇଥିଲେ । ମାତ୍ର ଲଜ୍ଜାର କଥା ମୂଖ୍ୟମନ୍ତ୍ରୀ ନିର୍ବାଚନରେ ଚାଷୀଙ୍କ ଭୋଟରେ ଜିତିବାର ୬ ମାସ ପରେ ଚାଷୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି । ବର୍ଷକୁ ପ୍ରତି ଚାଷୀର ୬ ହଜାର ଟଙ୍କା ପୁଣି ଛଡାଇ ନେଇଛନ୍ତି । ତୁରନ୍ତ ଚାଷୀଙ୍କ ୧୦ ହଜାର ଲେଖାଏଁ କାଳିଆ ଯୋଜନା ପ୍ରତିଶୃତିକୁ ନବୀନ ସରକାର ପାଳନ କରନ୍ତୁ ଓ ନିଜ ସତ୍ୟ ରକ୍ଷା କରନ୍ତୁ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଛି ।

ରିପୋର୍ଟ : ଶୁଭମ କୁମାର ପାଣି