ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣରେ ବିଶ୍ଵ ବ୍ରହ୍ମାଣ୍ଡ ହୁଲୁଷ୍ଟୁଲ୍ ହେଉଥିବା ବେଳେ ସାମ୍ପ୍ରତିକ ସ୍ଥିତିରେ ପ୍ରବାସୀ ଓଡ଼ିଆ ଦାଦନଙ୍କ ଘର ବାହୁଡ଼ା ପ୍ରଶାସନକୁ ବେହାଲ୍ କରିଅଛି । ଦ୍ଵିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଶେଷ ହୋଇ ତୃତୀୟ ପର୍ଯ୍ୟାୟର ଷଷ୍ଠ ଦିନର ଅତିବାହିତ ସୁଦ୍ଧା ବିଦେଶ ହଟ୍ ସ୍ପଟ୍ ଫେରନ୍ତାଙ୍କ ଠାରୁ ପ୍ରବଳ ମାତ୍ରାରେ କରୋନା ପୋଜିଟିଭ୍ ଲକ୍ଷଣ ଚିହ୍ନଟ କାରଣରୁ ଅବଶ୍ୟମ୍ଭାବୀ କରୋନା ମହାମାରୀ ବିପର୍ଯ୍ୟୟକୁ ସଭ୍ୟତା ଆବିକ ହାତଠାରି ନିମନ୍ତ୍ରଣ କରିବା ଲକ୍ଷ କରାଯାଉଅଛି । ପରନ୍ତୁ ବିପର୍ଯ୍ୟୟ ପରିସ୍ଥିତିକୁ ସାମ୍ନା କରୁଥିବା ସାମ୍ପ୍ରତିକ ସଭ୍ୟତାରେ ପ୍ରତିକୂଳ ସ୍ଥିତିରେ ଯୋଦ୍ଧା ସାଜିଥିବା କିଛି ନିରୀହ ସାଧାରଣଙ୍କୁ ସବୁକିଛି ସହିବାକୁ ପଡୁଥିଲେ ମଧ୍ୟ ରାଜନୈତିକ ଛତ୍ରଛାୟା ତଳେ ନିର୍ଦ୍ଧିଷ୍ଟ ସେବା ଯୋଗାଇବାକୁ ସଂକଳ୍ପ କରିଥିବା ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ଵାରା ବେଆଇନ ମଦ ବେପାର କରିବା ଏବଂ ଅଞ୍ଚଳ ବାସିନ୍ଦାଙ୍କ ଦ୍ଵାରା ଧରା ହୋଇ ପୋଲିସ୍ ଯିମାରେ ରହିବା ଧରାକୋଟ ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଅଛି । ମିଳିଥିବା ସୂଚନା ପ୍ରକାରେ ଧରାକୋଟ ଥାନା ଅନ୍ତର୍ଗତ ଚାରିଛକ ଠାରୁ ଧରାକୋଟ ରାସ୍ତାରେ ଆଜି ଅପରାହ୍ନରେ ବ୍ଲକ ବିଜୁ ଯୁବ ବାହିନୀର ସଭାପତି ରଞ୍ଜନ କୁମାର ଦାସ ଓରଫ ଟେମ୍ପୁ, ନିଜ ବାଇକ୍ ନଂ ଓଡି-32A 9540ରେ ଏକ ଜାର୍କିନିରେ ୧୧୦ଲିଟର ଅବୈଧ ଦେଶୀ ମଦଧରି ଆସୁଥିବା ବେଳେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ଦ୍ଵାରା ଧରା ପଡିଥିଲେ । ଏ ସମ୍ବନ୍ଧରେ ଧରାକୋଟ ଥାନାରେ ଅବଗତ କରାଗଲା ପରେ ଥାନା ପକ୍ଷରୁ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ ସହିତ ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି । ଅଟକ ରଞ୍ଜନ ଦାସ ଅଞ୍ଚଳର କୁଖ୍ୟାତ ମଦ ବେପାରୀ ହୋଇଥିଲେ ମଧ୍ୟ ଚଳନ୍ତି ସମୟରେ ଏତେ ପରିମାଣର ଅବୈଧ ଦେଶୀ ମଦ କେଉଁଠାରୁ ଆଣିଲେ ଏବଂ ଲକ୍ ଡାଉନ୍ ସମୟରେ ସବୁ ସରକାରୀ ମହୁଲି ଦେଶୀ ମଦ ଭାଟି ବନ୍ଦଥିବାରୁ ଏହା ସନ୍ଦେହ ଘେରକୁ ଆସି ଯାଇଛି । ଅନ୍ୟ ଏକ ଆଲୋଚନାରେ ସଂପୃକ୍ତ ବ୍ୟକ୍ତି ମଦ ସହିତ ପୋଲିସ୍ ଦ୍ଵାରା ଅଟକ ପରେ ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକଙ୍କ ମୋବାଇଲ ଗ୍ରୁପ୍ ରେ ରଞ୍ଜନ ଦାସଙ୍କ କଳା କାରନାମା ଯୋଗୁଁ ଗତ ମଇ ୯ ତାରିଖରେ ତାଙ୍କୁ ବିଜୁ ଯୁବ ବାହିନୀ କର୍ମକର୍ତ୍ତା ଓ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ସ୍ପଷ୍ଟ କରିଛନ୍ତି । ଏଠି ପୁଣି ସନ୍ଦେହସୃଷ୍ଠି ହେଉଅଛି ଯେ, ଲକ୍ ଡାଉନ୍ ସମୟରେ ନିଷ୍ପତି ପାଇଁ ସାଧାରଣ ବୈଠକ କେମିତି ବସିଥିଲା ? ସେ ଯାହା ହେଉ ଅଟକ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗାଯୋଗ ହୋଇ ନ ଥିଲେ ମଧ୍ୟ ଥାନା ପକ୍ଷରୁ ଏଥିନେଇ କୌଣସି ସୂଚନା ଦିଆଯାଇ ନାହିଁ । ଥାନା ଅଧିକାରୀଙ୍କୁ ଯୋଗାଯୋଗ ପାଇଁ ଚେଷ୍ଠା କରାଯାଇଥିଲେ ସୁଦ୍ଧା କୋଭିଡ୍-୧୯ ସଂଗରୋଧ୍ କେନ୍ଦ୍ର ପରିଚାଳନା ଜନିତ ଦାୟିତ୍ୱରେ ଥିବାରୁ ଯୋଗାଯୋଗ ସମ୍ଭବ ହୋଇନହିଁ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ