

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ବନ ପାହାଡ ଘେରା ଗଜପତି ଜିଲ୍ଲାର ମୋହନା ବ୍ଲକରେ ୬୨ ଏକର ବନ ଜମିରୁ ୧୨ କୋଟି ଟଙ୍କାରୁ ଉର୍ଦ୍ଧ ଚୋରା ଗଞ୍ଜେଇ ଗଛକୁ ପୋଡି ପାଉଁଶ କରି ଦିଆଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ମୋହନା ବ୍ଲକର ଅଡବା ଥାନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଅନ୍ତରବା ପୁରୁଣା ସାହି ନିକଟରେ ଚଢାଉ କରାଯାଇଛି । ଏହି ସମୟରେ ପ୍ରାୟ ୬୨ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏହି ଜମିରେ ୧ଲକ୍ଷ ୨୪ ହଜାର ଗଞ୍ଜେଇ ଗଛ ଲାଗିଥିଲା । ଅବକାରୀ ଓ ପୋଲିସ ବିଭାଗ କର୍ମଚାରୀମାନେ ଏକାଠି ହୋଇ ପ୍ରଥମେ ଗଛ କାଟିଥିଲେ ପରେ କଟାଯାଇଥିବା ଗଛ ଗୁଡିକୁ ନିଆଁ ଲଗାଇ ସେହି ସ୍ଥାନରେ ହିଁ ପୋଡି ନଷ୍ଟ କରି ଦିଆଯାଇଥିଲା । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୁଲ୍ୟ ୧୨କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଏସଡିପିଓ ଅଶୋକ ମହାନ୍ତି କହିଛନ୍ତି । ଏହି ଚଢାଉରେ ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଦାୟୀତ୍ୱରେ ଥିବାବେଳେ ଅଡବା ଥାନା ଅଧିକାରୀ ଅଲୋକ ରଞ୍ଜନ ଜଗଦଲା, ଅବକାରୀ ନିରିକ୍ଷକ ସୁରୀ ବାବୁଙ୍କ ସମେତ ପୋଲିସ ଅବକାରୀ ଓ ରାଜସ୍ୱ କର୍ମଚାରୀମାନେ ସାମିଲ ହୋଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା



