୧୩ଦିନ ବ୍ୟାପି ଶିଳ୍ପୀବିକାଶ ମହୋତ୍ସବ ଓ କୁଞ୍ଜମେଳା ଉଦ୍‌ଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱରେ ଉତ୍କଳୀୟ ସଂସ୍କୃତି, କଳା ଓ ଶିଳ୍ପ ଏକଦା ପ୍ରତିଷ୍ଠା ଲାଭ କରିଥିବା ବେଳେ ଏବେବି ଓଡିଶାର କେତେକ ଗ୍ରାମାଞ୍ଚଳର କଳାକାରମାନେ ଏହାକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରଖିଛନ୍ତି । ସେପରି ଏକ ଗାଁ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶାଳିକୋଠା ଗାଁର ଶିଳ୍ପୀଧାମରେ ଦେଖିବାକୁ ମିଳିଛି । ଦୀର୍ଘ ୧୩ଦିନ ବ୍ୟାପି ସେଠାରେ ପ୍ରଦର୍ଶିତ ହେଉଥିବା ପୁରାଣର କଥାବସ୍ତୁକୁ ନେଇ କୁଞ୍ଜମେଳା ଓ ମିନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ, ଯାତ୍ରା, ପାଲା, ପ୍ରବଚନ, ଦାସକାଠିଆ ପ୍ରଭୃତି ଅନୁଷ୍ଠିତ ହୋଇ ଆସୁଥିଲା । ଉଦଯାପନୀ ଉତ୍ସବରେ ସେ ଅଂଚଳର ପୂର୍ବତନ ଅଧ୍ୟକ୍ଷ ପଣ୍ଡିତ ରବିନାରାୟଣ ରଥଶର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଭୂମିକନ୍ୟା, ରେବତୀର ସଂପାଦିକା ତଥା ସମାଜସେବୀ ସୁବାସିନୀ ଜେନା ଯୋଗ ଦେଇ ଓଡିଶାର କିର୍ତ୍ତୀ ରାଜିକୁ ବଂଚାଇ ରଖିବା ପାଇଁ କଳା ଏକ ବଳିଷ୍ଠ ମାଧ୍ୟମ ଓ ଏଠାକାର ଶିଳ୍ପୀମାନଙ୍କ ପ୍ରଚେଷ୍ଟା ପ୍ରଣିଧାନଯୋଗ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ସାରସ୍ୱତ ସାଧକ ବିପିନ ବିହାରୀ ବିଶ୍ୱାଳ, ସମ୍ମାନୀତ ଅତିଥିଭାବେ ବରିଷ୍ଠ ଆଇନ୍‌ଜିବୀ ସତ୍ୟସୁନ୍ଦର ଦାସ, କବି ଶରତ ଚନ୍ଦ୍ର ପଣ୍ଡା, ମୁକୁନ୍ଦ ମୁରାରୀ ଜେନା ପ୍ରମୁଖ ଦେଶ ବିଦେଶରେ ହୋଇଥିବା ବିଭିନ୍ନ ମନ୍ଦିର ଗୁଡିକରେ ଏପରି କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟ ସ୍ଥାନୀୟ ଶିଳ୍ପୀ ମାନଙ୍କ ଦ୍ୱାରା ହୋଇଥିବା କହିଥିଲେ । ପ୍ରାରମ୍ଭରେ ଡ. ଅଜିତ୍ କୁମାର ମହାନ୍ତି ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ଗ୍ରାମ୍ୟକମିଟି ମୁଖ୍ୟ ଗଣେଶ ଚନ୍ଦ୍ର ପରିଡା, ଶିଳ୍ପୀ ବସନ୍ତ କୁମାର ଦାସ, କେଶବ କୁମାର ଜେନା, ଦୟାନିଧି ଦାସ, ଜୟନାରାୟଣ ଜେନା ପ୍ରମୁଖଙ୍କ ପକ୍ଷରୁ ଅତିଥି ବୃନ୍ଦଙ୍କୁ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା । ଶେଷରେ ଶ୍ରୀକଣ୍ଠ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉତ୍ତର ବାଲେଶ୍ୱର ଅଞ୍ଚଳର ୧୨୦ ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱାଦଶ ସଂଧ୍ୟାରେ ଆୟୋଜିତ ସଭାରେ ଡ. ଅଜିତ୍ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବାଲେଶ୍ୱର ଉପାଜିଲାପାଳ ନିଲୁ ମହାପାତ୍ର, ମୁଖ୍ୟବକ୍ତାଭାବେ ସମାଜସେବୀ କମଳ ଚକ୍ରବର୍ତ୍ତୀ, ସମ୍ମାନିତ ଅତିଥିଭାବେ ଅଧ୍ୟାପକ ସମର ବଲ୍ଲଭ ନାୟକ, ସୁମନ ଦତ୍ତ, ସମିତି ସଦସ୍ୟ ରାଜେନ୍ଦ୍ର ପାତ୍ର, ହରିଶ୍ଚନ୍ଦ୍ର ଭୂୟାଁ ଓ ମୁକୁନ୍ଦ ମୁରାରୀ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମ୍ୟମୁଖ୍ୟ ଗଣେଶ ପରିଡା ମଞ୍ଚ ଆହ୍ୱନ, ଶିଳ୍ପୀ ବସନ୍ତ ଦାସ ଅତିଥି ସ୍ୱାଗତ ଓ ଶେଷରେ ଶିଳ୍ପୀ କେଶବ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା