ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ଗାଁର ସଂଜୟ କୁମାର ପ୍ରଧାନ ସମନ୍ନତି କୃଷି ପ୍ରଣାଳିରେ ଚାଷ କରି ଏକ ଉଦାହରଣ ସାଜିଛନ୍ତି । ୨ଏକର ୫୦ଡିସିମିଲ ସ୍ଥାନରେ ସେ ୬ଟି ପୋଖରୀରେ ବିଭିନ୍ନ ପ୍ରକାରର ମାଛ ଓ ମଧୁ ର ଚିଙ୍ଗୁଡିଚାଷ କରିଥିବା ବେଳେ ପୋଖରୀ ହୁଡାରେ ତାଙ୍କ ଉତ୍ପାଦିତ ଅମୃତଭଣ୍ଡା, କାକୁଡି, ଜହ୍ନି, ବାଇଗଣ, ଭେଣ୍ଡି, ପୋଇ, କଖାରୁ ପ୍ରଭୃତି ସ୍ଥାନୀୟ ବଜାରରେ ବେଶ୍ ଆଦୃତ ହୋଇଛି । ସେପରି ଏକ ସମନ୍ନିତ କୃଷି ପ୍ରଣାଳୀକୁ ଆଜି ଜଳେଶ୍ୱର ଓ ଭୋଗରାଇର ୧୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆସି ମାଛଚାଷ ଓ ଅନ୍ୟ କୃଷି ପ୍ରଣାଳି ସଂପର୍କରେ ପ୍ରଶିକ୍ଷଣ ନେଇଛନ୍ତି । ସଂଜୟ କୁମାର ପ୍ରଧାନ ଆମ ଅଂଚଳରୁ ବିଲୁପ୍ତ ହେଉଥିବା ଦେଶୀ କୋଉ, ମାଗୁର, ସେଉଳ, ଜିଆ, କଣ୍ଟିକା ଇତ୍ୟାଦି ଏକ ପୋଖରୀରେ ବ୍ୟାପକ ଚାଷ କରିଛନ୍ତି । ସେହିପରି ଅନ୍ୟପୋଖରୀରେ ମଧୁର ଚିଙ୍ଗୁଡିଚାଷକରିଥିବା ବେଳେ ଦେଶୀ ରୋହୀ, ଭାକୁଡ, ସାଇପ୍ରିନ୍ସ, ଗ୍ରାସ୍କାପ୍, ସିଲଭରକପ୍, ମିଡ, ଦେଶୀ ବାଉଲ, ପଂଗାସ ଓ ଯାପାନୀ କରଣ୍ଡି ଇତ୍ୟାଦି ବ୍ୟାପକ ଚାଷ କରିଛନ୍ତି । କେବଳ ଚାଷ ନୁହେଁ ଏହାକୁ ବ୍ୟବସାୟିକ ଢାଙ୍ଗରେ ନେବାପାଇଁ ମାଛ ବିହନ (ମଂଜି) ତଥା ଯାଆଁଳ ଉତ୍ପାଦନ କରି ଉପାନ୍ତ ମେଦିନୀପୁର ଓ ବାଲେଶ୍ୱର ଜିଲାରେ ରେକର୍ଡ ସୃଷ୍ଟି କରିଛନ୍ତି । ପୋଖରୀହୁଡାରେ ଉତ୍ପାଦିତ ବିଭିନ୍ନ ପରିବା ସେ ଅଂଚଳରେ ଅଗ୍ରାଧିକାର ଭିତ୍ତିରେ ବିକ୍ରି ହୋଇଥାଏ । ଏପରି ଏକ ସମନ୍ନିତ କୃଷି ପ୍ରଣାଳୀ ସଂପର୍କରେ ଆଜି ଜଳେଶ୍ୱର ଭୋଗରାଇରେ କାର୍ଯ୍ୟରତ ସହକାରୀ ମତ୍ସ୍ୟ ଅଧିକାରୀ ମହମ୍ମଦ ଫିରୋଜ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଭୋଗରାଇର ଅଗ୍ରଣୀ ୧୧ଟି ଓ ଜଳେଶ୍ୱର ବ୍ଲକର ଅଗ୍ରଣୀ ୩ଟି ଏଏଚ୍ଜି ଗ୍ରୁପର୍ ୨୮ଜଣ ସଦସ୍ୟାଙ୍କୁ ସେଠାକୁ ନେଇଥିଲେ । ଭୋଗରାଇଠାରେ ଚାଲିଥିବା ୨ଦିନିଆ ପ୍ରାଣୀମିତ୍ର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ବହୁ ଏସ୍ଏଚଜି ଗ୍ରୁପ ମଧ୍ୟରୁ ୧୪ଟି ଗ୍ରୁପର ସଦସ୍ୟା ମାନଙ୍କୁ ସୁଗୋ ନେଇ ସଂଜୟ ପ୍ରଧାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦେଇଥିଲେ । ପ୍ରଶିକ୍ଷଣ ନେଇଥିବା ଏସ୍ଏଚ୍ଜି ଗ୍ରୁପ ସେମାନଙ୍କ ଅଂଚଳରେ ମତ୍ସ୍ୟଚାଷ କରିଥିବାରୁ ଏପରି ପ୍ରଶିକ୍ଷଣ ସେମାନଙ୍କୁ ଭବିଷ୍ୟତରେ ଉତ୍ସାହିତ କରିବାରେ ସହାୟକ ହେବ ବୋଲି ମହମ୍ମଦ ଫିରୋଜ କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା