୨୦୧୩ ବ୍ୟାଚ୍ ର ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ହୀନମାନତାର ଶିକାର…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜିକୁ ଦିର୍ଘ ୧୬ ମାସ ହେବ ନିଜର ଚୁକ୍ତିଭିତ୍ତିକ ସମୟସୀମାକୁ ପୂରଣ କରିସାରିଲା ପରେ ମଧ୍ୟ ଆଜି ୨୦୧୩ ବ୍ୟାଚ୍ ମସିହାରେ ନିଯୁକ୍ତି ପାଇଥିବା ୫୦୦୦ରୁ ଉର୍ଦ୍ଧ୍ଵ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସାବତ ପୁଅ/ଝିଅ ପରି ବ୍ୟବହାର କରୁଛି ବୋଲି ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଚିଠି.ନଂ.-୪୮୮୧୭/ତାରିଖ-୧୭-୧୨-୨୦୧୯ ଏବଂ ପୁନର୍ବାର ଚିଠି.ନଂ.-୯୫୦୬/ତାରିଖ:-୧୭-୦୩-୨୦୨୦ଦ୍ୱାରା ୨୦୧୩ ନିୟମିତ ପ୍ରସ୍ତାବ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ମାଗିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା, ଭଦ୍ରକ, ନବରଙ୍ଗପୁର, ଯାଜପୁର ଏପର୍ଯ୍ୟନ୍ତ ନିଜର ନିୟମିତ ପ୍ରସ୍ତାବ ଦେଇ ନାହାନ୍ତି । ଏପର୍ଯ୍ୟନ୍ତ ସେମାନେ ନିର୍ଦ୍ଦେଶକଙ୍କର ନିର୍ଦ୍ଦେଶନାମାକୁ ଫୁ କରି ଉଡେଇ ଦେଇଛନ୍ତି । ଚିଠି ନଂ ୨୫୭୧୪/ତା:-୨୯-୦୭-୨୦୧୬ ଅନୁସାରେ ଫେବ୍ରୁଆରି ୧୫ ସୁଧା ସବୁ ଜିଲ୍ଲାରୁ ପ୍ରସ୍ତାବ ମାଧ୍ୟମିକ ନିର୍ଦ୍ଦେଶଳାୟକୁ ଆସିବା କଥା ଏବଂ ମାର୍ଚ୍ଚ ୧୫ ସୁଧା ଏହା ସରକାରଙ୍କର ଅନୁମୋଦନ ପାଇଁ ସଚିବାଳୟକୁ ଯିବା କଥା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ, ପ୍ରିୟାପ୍ରୀତି ତୋଷଣ ପାଇଁ ଫାଇଲ୍ ଟି ଏପର୍ଯ୍ୟନ୍ତ ପୁଟ୍ ଅଫ୍ ହୋଇ ପାରିନାହିଁ ବୋଲି ସଂଘ ଦାବୀ କରିଛି । ଯଦି ଆଗାମି ୧୫ ଦିନ ମଧ୍ୟରେ ଏହାର ସମାଧାନ ନ କରାଯାଏ, ତେବେ ଆମେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିବୁ ବୋଲି ରାଜ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

ରିପୋର୍ଟ : ବିଜୟ ମଲ୍ଲ