୨୨ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ : ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ କହିଲେ ମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜି ଠାରୁ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି ।ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦିପ ବଳସାମନ୍ତ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭ ଉଦ୍‌ଘାଟନ କରି କହିଛନ୍ତି, “ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମ ଅସ୍ମିତାର ନିଦର୍ଶନ ।ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ହେଉଛି ସମୟର ଆହ୍ୱାନ ।”ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ନିର୍ଦ୍ଦେଶିକା ତଥା ବୟନିକାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ରାଜ୍ୟ ତଥା ଦେଶର ସମସ୍ତ ବୟନ କଳାକୁ ପ୍ରଦର୍ଶିତ କରିବା ସହ ବିକ୍ରୟ ପାଇଁ ଏହି ପ୍ରଦର୍ଶନୀ ଏକ ପ୍ରକୃଷ୍ଟ ମଂଚ । ଉତ୍କୃଷ୍ଟ ବୟନ କଳାକୁ ବଂଚାଇ ରଖିବା ପାଇଁ ଅଧିକରୁ ଅଧିକ ଗ୍ରାହକ ଆଗେଇ ଆସି ବୁଣାକାରଙ୍କୁ ଉତ୍ସାହିତ କରିବା ଉଚିତ ।” ସୂଚନା ଯୋଗ୍ୟ, ଗୋଟିଏ ସ୍ଥାନରେ ବୟନ କଳାକୁ ପ୍ରଦର୍ଶିତ କରିବା ସହ ବୁଣାକାର ମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳ ଲକ୍ଷ୍ୟ ।ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗଏହାର ପ୍ରାୟୋଜକ ଥିବା ବେଳେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍ (ବୟନିକା) ହେଉଛିଏହାର ଆୟୋଜକ । ୧୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ମେଳା ୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ଦିବା ୧୧ ଘଟିକାରୁ ୯.୩୦ ମିନିଟ୍ ମଧ୍ୟରେ ଲୋକମାନେ ବିଶେଷ ରିହାତି ଦରରେ ମନ ପସନ୍ଦର ହାତ ତିଆରି ବସ୍ତ୍ର କିଣି ପାରିବେ । ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାରମ୍ପରିକ ଖାଦ୍ୟ ଓ ପିଲାମାନଙ୍କ ପାଇଁ ଖେଳ କୁଦର ବ୍ୟବସ୍ଥା କରାଯାଇଛି । ଚଳିତ ଥର ମୋଟ୍ ୧୭୦ଟି ଷ୍ଟଲ୍‌ ଖୋଲା ଯାଇଛି । ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଅଂଚଳର ଲୋକାଦୃତ ବୟନ ବସ୍ତ୍ର ଯଥା: ସମ୍ବଲପୁରୀ, ସୋନପୁରୀ, ବମକାଇ, ଖଣ୍ଡୁଆପାଟ, ମାଣିଆବନ୍ଧି, ହାବସ ପୁରୀ ଆଦି ଉପଲବ୍ଧ ହେବ । ଦର୍ଶକଙ୍କ ପ୍ରମୂଖ ଆକର୍ଷଣ ପାଲଟିବ ଅହିଂସାରେ ସମବସ୍ତ୍ର । ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧ ବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ୍‌, ତାମିଲନାଡ଼ୁର କାଞ୍ଜିବରମ୍ ପାଟଶାଢ଼ୀ, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍‌ବସ୍ତ୍ର, କର୍ଣ୍ଣାଟକରସିଲ୍କ ଶାଢ଼ୀ ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଗତ ବର୍ଷ ମେଳାରେ ଟ ୧୧.୬୦ କୋଟିର ହସ୍ତତନ୍ତ ବସ୍ତ୍ରର ବ୍ୟବସାୟ ହୋଇଥିଲା ବେଳେ ଚଳିତ ବର୍ଷ ୧୫ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ବୟନିକା ଆଶା ରଖିଛି ।ଏହି ମେଳାରେ ବହୁ ସଂଖ୍ୟାରେ ଗ୍ରାହକମାନେ ଆସି ହସ୍ତତନ୍ତ ବସ୍ତ୍ର କ୍ରୟ କରିବା ସହ ବୁଣାକାରଙ୍କୁ ଉତ୍ସାହିତ କରିବା ପାଇଁ ବୟନିକା ପକ୍ଷରୁ ନିବେଦନ କରାଯାଇଛି ।ଉଦଘାଟନୀ ସଂଧ୍ୟାରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ମଧୁମିତା ରଥ, ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମେହେରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ଆଲୋକ କୁମାର ମହାନ୍ତି,ଲୋକସଂପର୍କ ଅଧିକାରୀ