୨୫ ତାରିଖରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ : ମତଦାନ କେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ସୂଚନା

ଭୁବନେଶ୍ୱର (ସମୃଦ୍ଧଓଡିଶା) ଖୋରଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ । ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ କରିବାର ଅଧିକାର ପ୍ରଦାନ କରିଛି । ଅନେକ ସଂଗ୍ରାମ ପରେ ଏ ଦେଶ ସ୍ୱାଧୀନତା ହାସଲ କରିଥିଲା ଓ ଅନେକ ବୀରବିପ୍ଳବୀମାନଙ୍କ ତ୍ୟାଗ ଏବଂ ଶ୍ରେଷ୍ଠ ଗଣତାନ୍ତ୍ରିକ ପରମ୍ପରାର ସମ୍ମାନ ବଜାୟ ରଖିବା ନିମନ୍ତେ ମତଦାନ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଭୋଟରମାନେ ଭୋଟର ହେଲପ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଭୋଟର ତାଲିକାରେ ଥିବା ନିଜର କ୍ରମିକ ଓ ଭାଗ ସଂଖ୍ୟା ଜାଣିବାର ସୁବିଧା ରହିଛି । ସେହିଭଳି ଜିଲ୍ଲାର ମତଦାତାମାନେ ‘ମୋ ବୁଥ୍‌’ ଆପ୍‌ ମାଧ୍ୟମରେ ବୁଥ୍‌ର ଅବସ୍ଥିତି, ସେଠାକୁ ଯିବା ପାଇଁ ମାର୍ଗ ଏବଂ ସମାନ ସମୟ ମଧ୍ୟରେ ଧାଡ଼ିରେ ଛିଡ଼ା ହୋଇଥିବା ମତଦାତାଙ୍କ ସଂଖ୍ୟା ଜାଣିପାରିବେ । ଏତଦ୍‌ବ୍ୟତୀତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ସର୍‌ବତ, ଶିଶୁମାନଙ୍କ ପାଇଁ କ୍ରେଚ୍‌, ପ୍ରତୀକ୍ଷା ଗୃହ, ଶୌଚାଳୟ, ଭିନ୍ନକ୍ଷମ ବନ୍ଧୁମାନଙ୍କ ପାଇଁ ର୍ୟାମ୍ପ ଓ ହୁଇଲ୍‌ ଚେୟାର, ବୟସ୍କମାନଙ୍କ ପାଇଁ ଚେୟାରର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଶ୍ରୀ ରାଣା ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପ୍ରେରଣାଦାୟୀ ସୂଚନା ପ୍ରଦାନ କରିଛନ୍ତି । ଏହି ନିର୍ବାଚନ ନିମନ୍ତେ ଜିଲ୍ଲାରେ ଗତ ଦୁଇବର୍ଷ ଧରି ପ୍ରସ୍ତୁତି ଜାରି ରହିଛି ଏବଂ ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରାୟ ୧୫ ହଜାର ପୁଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି । ଜିଲ୍ଲାର ୧୯୨୩ଟି ବୁଥ୍‌ ମଧ୍ୟରୁ ୫୨୫ଟି କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଖି ବୁଥ୍‌, ୮ଟି ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ଯୁବ ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ୪୦ଟି ଯୁବ ବୁଥ୍‌ ଥିବାବେଳେ ୩୮୪ଟି ଆଦର୍ଶ ଓ ଇକୋ-ଫ୍ରେଣ୍ଡଲି ବୁଥ୍‌ ରହିଛି । ବିଗତ ନିର୍ବାଚନରେ ଭୁବନେଶ୍ୱରରେ ନିମ୍ନ ମତଦାନ ହାର ଯୋଗୁଁ ଖୋରଧା ଜିଲ୍ଲାରେ ମତଦାନ ହାର କମ୍‌ ରହିଥିଲା । ଜିଲ୍ଲାବାସୀ ନିଜର, ନିଜ ପରିବାରର ଏବଂ ଦେଶର ଭବିଷ୍ୟତ ପାଇଁ ଭୋଟ ଦେବାକୁ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ । ନିଜର ପରିବାର, ପଡ଼ୋଶୀ ଓ ସାଙ୍ଗସାଥିମାନଙ୍କୁ ସାଥିରେ ଧରି ଆସନ୍ତା ୨୫ ତାରିଖରେ ମତଦାନ କରିବାକୁ ଭୋଟରମାନଙ୍କୁ ସେ ନିବେଦନ କରିଛନ୍ତି । ଜାତି, ଧର୍ମ, ବର୍ଣ୍ଣରୁ ଊଦ୍ଧ୍ୱରେ ରହି କୌଣସି ଭୟ, ଲୋଭ କିମ୍ବା ଚାପର ବଶବର୍ତ୍ତୀ ନହୋଇ ନିଜ ଦେଶ ଓ ସମ୍ବିଧାନର ସମ୍ମାନ ପାଇଁ ନିଜର ଶ୍ରେଷ୍ଠ ଅଧିକାର ମତଦାନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର