୨୬ନଭେମ୍ବରରେ ଅଲ୍ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର ଆସୋସିଏସନ ପକ୍ଷରୁ ବିଧାନସଭା ଘେରାଉ…

ରାୟଗଡା (ସମୃଦ୍ଧ ଓଡିଶା) ଅଙ୍ଗନବାଡି କର୍ମଚାରୀମାନଙ୍କ ଦୀର୍ଘ ଦିନର ଦାବି ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ବୈମାତୃକ ମନୋଭାବ ଘୋଷଣା କରୁଛନ୍ତି । ସେମାନଙ୍କ ଦାବି ଯଥାର୍ଥ ହୋଇଥିଲେ ମଧ୍ୟ ସରକାରଙ୍କ ତାଳଚୁଳ ନୀତି ଅବଲମ୍ବନ କରୁଛନ୍ତି । ଏ ନେଇ କର୍ମଚାରୀମାନେ ବାରମ୍ବାର ଆନ୍ଦୋଳନ ଓ ସ୍ମାରକପତ୍ର ପ୍ରଦାନ ଆଦି କରିବା ପରେ ମଧ୍ୟ ସେମାନଙ୍କୁ ମିଳୁଛି କେବଳ ମିଥ୍ୟ ପ୍ରତିସୁତି । ଯାହାକୁ ନେଇ ସମ୍ପ୍ରତି ଅଙ୍ଗନବାଡି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏହାର ପ୍ରତିବାଦରେ ନଭେମ୍ବର ୨୬ରେ ଅଲ୍ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର ଆସୋସିଏସନ ପକ୍ଷରୁ ବିଧାନସଭା ସମୁଖରେ ଘେରାଉ କରାଯିବ । ଦାବି ପୂରଣ ହେବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଚାଲୁରହିବ ଚେତାବନୀ ଦିଆଯାଉଛି । ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଅସୋସିଏସନ ପକ୍ଷରୁ ସ୍ଥାନୀୟ ଠକରବାପା ଆଶ୍ରମ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଏହି ଚେତାବନୀ ଦିଆଯାଉଛି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ତଥା ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାସ, ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଂ, ଅଲ୍ ଓଡ଼ିଶା ଲେଡିଜ ୱାର୍କର ଅସୋସିଏନର ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟ ସାହୁ, ଜିଲ୍ଲା ସମ୍ପାଦିକା ଶ୍ରୀମତି ଉଷାରାଣୀ ଦାସ, ରାଜ୍ୟ କାର୍ଯ୍ୟକିରାଣୀ ସଦସ୍ୟ ଗୀତା ଉଲ୍ଲକା, ରାୟଗଡ଼ା ବ୍ଲକ ସଭାନେତ୍ରୀ ଅମ୍ବିକା ନୀଳଗିରି, ସମ୍ପାଦିକା କେ.ନୀଳାଦ୍ରି, ପି.ମିନାକ୍ଷୀ ଦୋରା ଯୋଗଦେଇ ଏହା କହିଛନ୍ତି । ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଉକ୍ତ ଦିନ ମାଷ୍ଟ୍ରକେଣ୍ଟିନ ଛକ ରେଳଷ୍ଟେସନ ନିକଟରୁ ଏକ ସଭାଯାତ୍ରା ବାହାରି ବିଧାନସଭା ସମୁଖରେ ପହଞ୍ଚିବ। ସେଥିରେ ବିକ୍ଷବ ପ୍ରଦର୍ଶନ କରିବା ସହ ମହାମହିମ ରାଜ୍ୟପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ, କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀ ଓ ମିନୀ ଅଙ୍ଗନବାଡି କର୍ମୀ, ସହାୟକା ସାମୁହିକ ଛୁଟିରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ଯୋଗେଶ୍ୱର ଦାସ ପ୍ରକାଶ କରିଛନ୍ତି । ତେବେ ଏହି ଦାବି ମଧ୍ୟରେ ମୁଖ୍ୟତଃ ସହାୟକା ଓ ମିନୀ ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ପର୍ଯ୍ୟନ୍ତ ସର୍ବନିମ୍ନ ମାସିକ ୧୮ହଜାର ଟଙ୍କା ଓ ସହାୟିକାମାନଙ୍କ ପାଇଁ ୯ହଜାର ଟଙ୍କା ପ୍ରଦାନ, ସୁପରଭାଇଜର ପଦବୀକୁ କେବଳ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଚିହ୍ନଟ କରି ପଦନୀତି, ମିନୀ ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀର ମାନ୍ୟତା, ନୂତନ ଖାଦ୍ୟ ତାଲିକା ମୂଲ୍ୟ ବୃଦ୍ଧି କରାଯିବା, ୬୦ବର୍ଷରେ ଅବସର ନେଇଥିବା କର୍ମୀଙ୍କୁ ୨ଲକ୍ଷ ଟଙ୍କା ପ୍ରୋତ୍ସାହନ, ମମତା ଯୋଜନାର ସଫଳତା ପାଇଁ କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ୫ଶହ ଓ ସହାୟିକାଙ୍କୁ ୨ଶହ ଟଙ୍କା ପ୍ରଦାନ, କର୍ମୀଙ୍କ ଟିଏ ଡ଼ିଏ ଲାଗୁ, ଘରଭଡା, ଗ୍ରୀଷ୍ମ ଋତୁରେ ୧ମାସ ଛୁଟି ପ୍ରଦାନ ଆଦି ଦାବି କରାଯାଉଛି ।ଦୀର୍ଘ ୫ବର୍ଷ ଧରି ସରକାର ଭୁଆଁ ବୁଲାଉଥିବା ପ୍ରତିବାଦରେ ସଂଘ ପକ୍ଷରୁ ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଛୁ ବୋଲି ରାଜ୍ୟ ନିଷ୍ପତ୍ତି କ୍ରମେ ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାସ ସୂଚନା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ