+୨ ନବାଗତ ବିଦ୍ୟାର୍ଥିଙ୍କୁ ସମ୍ବର୍ଦ୍ଧନା : ଶିକ୍ଷାର ମୂଳ ତିକ୍ତ, କିନ୍ତୁ ଫଳ ମିଠା ଅଟେ ପରାମର୍ଶ ଦେଲେ କଲେଜ ଅଧ୍ୟକ୍ଷ

ଆସିକା(ସମୃଦ୍ଧଓଡିଶା) ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ନବାଗତ ବିଦ୍ୟାର୍ଥୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରି ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି। ଭବିଷ୍ୟତ ସ୍ବପ୍ନକୁ ସାକାର କରିବା ପାଇଁ ଏବଂ ଉଚ୍ଚ ଶିକ୍ଷିତ ହୋଇ ଦେଶ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରା ଯାଇ ଥିଲା। ନିଜର ଚରିତ୍ରକୁ ମଜ୍ଜାଗତ କରିବା ପାଇଁ ସମସ୍ତ ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକା ବିଦ୍ୟାର୍ଥୀମାନଙ୍କୁ କହିଥିଲେ। ଶିକ୍ଷା କେବଳ ଉଚ୍ଚ ଶିକ୍ଷିତ କରି ନ ଥାଏ, ସର୍ବାଗ୍ରେ ଭଲ ମଣିଷ ହେବା ପାଇଁ ମାର୍ଗ ପ୍ରସ୍ତୁତି କରେ, ବୋଲି ପ୍ରଶାସନିକ ଅଧିକାରୀ ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ମତ ବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ନିଜର ଅଧ୍ୟକ୍ଷତା ଭାଷଣରେ ନିଜ ମହାବିଦ୍ୟାଳୟକୁ ପ୍ରତ୍ୟେକ କ୍ଷେତ୍ରରେ ଯଥା – ଶୈକ୍ଷିକ, କ୍ରୀଡା ତଥା ଅନ୍ୟାନ୍ୟ ପଠନ ସମ୍ବନ୍ଧୀୟ ପ୍ରତିଯୋଗିତା ମାନଙ୍କରେ ରାଜ୍ୟସ୍ତରରେ ଏକ ନମ୍ବର ମାନ୍ୟତା ପ୍ରଦାନ କରିବା ପାଇଁ ନବାଗତ ଛାତ୍ରଛାତ୍ରୀମାନଙ୍କ ନିକଟରେ ଆଶାର ସଂଚାର କରିଥିଲେ ଏବଂ କହିଥିଲେ ଶିକ୍ଷାର ମୂଳ ସର୍ବଦା ତିକ୍ତ କିନ୍ତୁ ଫଳ ମିଠା ହୋଇଥାଏ। ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ ପରିଚ୍ଛା ପଟ୍ଟନାୟକ ନବାଗତ ଛାତ୍ରଛାତ୍ରୀଙ୍କୁ କହିଥିଲେ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଯାହାକୁ ତୁମ୍ଭେ ବିଶ୍ବକୁ ପରିବର୍ତ୍ତନ କରିବା ପାଇଁ ବ୍ୟବହାର କରିପାରିବ। ଅକାଡେମିକ୍ ବର୍ସର ବରିଷ୍ଠ ପ୍ରାଧ୍ୟାପକ ଡ. ସନ୍ତୋଷ କୁମାର ଚୌଧୂରୀ ନିଜ ବକ୍ତବ୍ୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସମୟାନୁବର୍ତ୍ତିତା, ନିୟମିତତା, ଆନ୍ତରିକତା, ସ୍ବଧ୍ୟାୟ, ବିନମ୍ରତା ଏବଂ ଧୌର୍ଯ୍ୟ ହେଉଛି ଶିକ୍ଷାର ପ୍ରକୃତ ମୂଲ୍ୟାଙ୍କନ ଅଟେ ବୋଲି କହିଥିଲେ। ବରିଷ୍ଠ ପ୍ରାଧ୍ୟାପକ ଡ. ବସନ୍ତ କୁମାର ଆଚାରୀ ଛାତ୍ରଛାତ୍ରୀଙ୍କୁ ଚରିତ୍ରକୁ ମଜ୍ଜାଗତ କରିବା ପାଇଁ ଆହ୍ବାନ କରିଥିଲେ ଏବଂ କହିଥିଲେ ଜୀବନର ଶେଷ ଶିକ୍ଷା ହେଉଛି ଚରିତ୍ର। ବରିଷ୍ଠ ପ୍ରାଧ୍ୟାପିକା ଡ. ସ୍ମିତାରାଣୀ ପଣ୍ଡା ନିଜ ସଫେଇରେ କହିଥିଲେ ଶିକ୍ଷା ଅନ୍ଧକାରରୁ ଆଲୋକକୁ ଗତି କରେ। ତେଣୁ ସମସ୍ତଙ୍କୁ ଶିକ୍ଷାର ମହତ୍ବକୁ ବୁଝିବାକୁ ପଢିବ। ବରିଷ୍ଠ ପ୍ରାଧ୍ୟାପକ ବିଘ୍ନରାଜ ପାଢୀ, ପ୍ରାଧ୍ୟାପିକା ଡ. ନନ୍ଦିତା ଦାଶ, ସରୋଜ କୁମାର ପଣ୍ଡା, ରାଜେଶ୍ କୁମାର ସାହୁ, ଅଧ୍ୟାପକ ଚ଼ିତ୍ରସେନ ବେହେରା, ସାରଥୀ ଗୋମାଙ୍ଗୋ, ପ୍ରିୟବ୍ରତ ପ୍ରଧାନ, ଡ. ଅଜିତ୍ କୁମାର ମୁନୀ, ପବିତ୍ର ଧଙ୍ଗଡାମାଝୀ, ଅଧ୍ୟାପିକା ବନଶ୍ରୀ ମହାନ୍ତି, ଡ. ଜିନିତ୍ ସବା, କୁନିକା ଦାଶ, ଚୁନମୁନ ମହାନ୍ତି ମଧ୍ୟ ଏହି ଅବସରରେ ମହାବିଦ୍ୟାଳୟର ସୁନାମକୁ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଥିଲେ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ