
ଜଳେଶ୍ୱର (ସମୃଦ୍ଧ ଓଡିଶା) କିଛି ଦିନ ପୂର୍ବରୁ ହୋଇଥିବା ଲଘୁଚାପ ବର୍ଷାରେ ବ୍ୟାପକ ବର୍ଷା ପାଣିରେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ଖାଲିନା, ନାମ୍ପୋ, ସମ୍ପତ୍ତିଆ, ନେତୁଆ, ସୁଗୋ, ନଛିମପୁର, ଖୁଲୁଡା, ବର୍ତ୍ତନା, ବାଇଗଣବାଡିଆ, ଝାଡପିମ୍ପଳ, ଗଡସାହି ବାଲିଆପାଳ, ପାଇକସିଦା, ରାୟାଁରାମଚନ୍ଦ୍ରପୁର ଅଂଚଳର ପ୍ରାୟ ୧ହଜାର ହେକ୍ଟର ଜମି ପାଣିରେ ବୁଡି ରହିଥିଲା । ଏହି ବର୍ଷାପାଣି ନିଷ୍କାସନ ପୂର୍ବରୁ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଦେଖା ଦେଇଥିଲା ବନ୍ୟା । ଗତ ଶୁକ୍ରବାର ରାତିରେ ସୁବର୍ଣ୍ଣରେଖା ନଦିର ରାଜଘାଟ ଠାରେ ବନ୍ୟାପାଣି କମୁଥିଲେ ମଧ୍ୟ ସମତଳ ଅଂଚଳରୁ ଅଦ୍ୟାବଧି ପାଣି ଶୁଖି ନାହିଁ । ଅଦ୍ୟାବଧି ପ୍ରାୟ ୩ହଜାର ହେକ୍ଟର ଚାଷଜମି ପାଣିରେ ବୁଡି ରହିଥିବାର ଆକଳନ କରାଯାଇଛି । ସେହିପରି ଝାଡପିମ୍ପଳ, ବାଇଗଣବାଡିଆ, ମହମ୍ମଦନଗରପାଟଣା, ରାଜପୁର, ପାଇକସିଦା, ଗଡସାହି ବାଲିଆପାଳ, ମାକିଡିଆ ଓଲମରା ପଂଚାୟତରେ ବ୍ୟାପକ ପରିବା ଚାଷ ହୋଇଥିଲା । ବର୍ଷା ଓ ବନ୍ୟା ଯୋଗୁଁ ବ୍ୟାପକ ପରିବା ଚାଷ ପାଣିରେ ବୁଡି ରହିଛି । ଭେଣ୍ଡି, କାଙ୍କଡ, କୋଟଳ, କୁନ୍ଦୁରି, କଲରା, ଝୁଡୁଙ୍ଗ, ଅମୃତଭଣ୍ଡା ଗଛ ଝାଉଁଳି ପଡିଥିବା ଲକ୍ଷ୍ୟ କରାଯାଇଛି । ଚଳିତ ବର୍ଷ ୨୧ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିବା ବେଳେ ୨୧ଶହ ଜମିରେ ପରିବା ଚାଷ ହୋଇଥିବା ପ୍ରକାଶ । କ୍ଷୟକ୍ଷତିର ବିବରଣି ଏବେ ମିଳିନଥିବା ବେଳେ ଆଜି ଜଳେଶ୍ୱର ବଜାରରେ ପରିବା ମୂଲ୍ୟ ୨ ଗୁଣା ହୋଇଥିବା ଲକ୍ଷ କରାଯାଇଛି ।