ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜ ଗ୍ରାମର ରାଜୀବଗାନ୍ଧୀ ସେବାକେନ୍ଦ୍ର ନିକଟରେ ଏକ ୩୦୦ ବର୍ଷର ପୁରୁଣା ବଟ ବୃକ୍ଷକୁ ଦୁବୃର୍ତ୍ତମାନେ କାଟିଦେଇଥିବା ଜଣାଯାଇଛି । ଏହି ବଟବୃକ୍ଷ ଛାଇରେ ଶହ ଶହ ବାଟୋଇ ଖରାବର୍ଷାରେ ଆଶ୍ରୟ ନେଉଥିବା ବେଳେ ଗାଁର ବହୁ ଉତ୍ସବ, ପୂଜା ଓ ମେଳା ଇତ୍ୟାଦି ହୋଇଥାଏ । ଗତ ଶନିବାର ଓ ରବିବାର ସଟ୍ଡାଉନ୍ ଥିବା ସତ୍ୱେ ଏହି ପୁରୁ ଣା କାଳିଆ ଗଛକୁ ମେସିନ୍ ସାହାର୍ଯ୍ୟରେ କଟାଯାଇ ତାର ପ୍ରମାଣ ନ ରଖିବା ଲାଗି ମୂଳକୁ ଉପାଡି ଦେଇଥିଲେ । ଏହି ଗଛ ମୂଳରେ ଆଧ୍ୟାତ୍ମିକ ଶକ୍ତି ଥିବାର ବହୁ ପୁରୁଣା କାଳୁରୁ ଏକ ବିଶ୍ୱାସ ରହିଥିଲା । କାର୍ତ୍ତିକ ମାସରେ ଗ୍ରାମର ସମସ୍ତ ସ୍ତ୍ରୀଲୋକମାନେ ଜଳାଭିଷେକ କରିବା ସହିତ କାର୍ତ୍ତକ ବ୍ରତ ପାଳନ କରିଥାନ୍ତି । ହେଲେ ଦୃବୃର୍ତ୍ତମାନେ ଏହାକୁ କାଟିଦେବା ଫଳରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଚାପା ଉତ୍ତେଜନା ଦେଖାଦେଇଛି । ପ୍ରକାଶଯୋଗ୍ୟ ଗାଁର ଜନୈକ ବ୍ୟକ୍ତି ଏହି ଘଟଣାରେ ସଂପୃକ୍ତ ଥିବାରୁ ଗଛ କଟା ହେବା ଦିନ ସେ ହଠାତ୍ ସଂଜ୍ଞାହୀନ ହୋଇଥିବା ବେଳେ ତହିଁ ପରଦିନ କଟକରେ ମୃତ୍ୟ ଘଟିଥିବା ନେଇ ବହୁକଥା ଶୁଣିବାକୁ ମିଳୁଛି । ଏ ସଂପର୍କରେ ଜଳେଶ୍ୱର ରେଞ୍ଜର ସରୋଜ କୁମାର ମହାନ୍ତିଙ୍କୁ ପଚାରିବାରୁ ଏପରି ଏକ ଅଭିଯୋଗ ଆସିଥିବାରୁ ଏହି କାଠ ପରିବହନ ବେଳେ ଜଙ୍ଗଲ ବିଭାଗ ସିଜ୍ କରିବାକୁ ପ୍ରସ୍ତୁତ ହୋଇ ରହିଛି । ଘଟଣା ସଂପର୍କରେ ଆର୍ଆଇ ଅଂଜନା ଟୁଡୁଙ୍କୁ ପଚାରିବାରୁ ଗଛ କଟାଘଟଣାକୁ ସ୍ୱୀକାର କରି ତାଙ୍କ ଠାରୁ କୌଣସି ଅନୁମତି ନେଇ ନ ଥିବାରୁ ସେ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି । ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ଏସଂପର୍କରେ ପଚାରିବାରୁ ସେ ଗଛ କାଟିବାକୁ ଅନୁମତି ଦେଇ ନାହାନ୍ତି କିମ୍ବା ତାଙ୍କ ନିକଟରେ କୌଣସିସ ଲିଖିତ ଅଭିଯୋଗ ହୋଇନାହିଁ ବୋଲି କହିଥିଲେ । ତେଣୁ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମର ନାରାୟଣ ପ୍ରସାଦ ଜେନା, ଚିନ୍ମୟ ଚନ୍ଦ, ମୁକୁନ୍ଦ ରଂଜନ ଜେନା, ଜଗବାନ ଜେନା, କେଶବ ଦତ୍ତପ୍ରମୁଖ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା