ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପ୍ରଶାସନ ତରଫରୁ “୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ” ଆରମ୍ଭ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପତାକା ଦେଖାଇ ସଡକ ସୁରକ୍ଷା ରଥର ଉଦଘାଟନ କରିଥିଲେ । ଜିଲ୍ଲାପାଳଙ୍କ ବାସଭବନ ଠାରୁ ଏହି ସଚେତନତା ରଥ ସହ ବିଭିନ୍ନ ଅନୁଷ୍ଠାନ ତଥା ପରିବହନ ବିଭାଗିୟ କର୍ମଚାରୀ, ପୋଲିସ୍ କର୍ମଚାରୀ କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଓଡିଶା ମଟର କର୍ମଚାରୀ ସଂଘ ଗଜପତି ଦ୍ୱାରା ସଚେତନତା ଶ୍ଳୋଗାନ୍ ଓ ବେନର ଧରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ । ଆସନ୍ତା ୧୭ତାରିଖ ଯାଏ ଅନ୍ୟାନ୍ୟ ବ୍ଲକ ଓ ଗାଁ’କୁ ପହଞ୍ଚି ସଚେତନତା କାର୍ଯ୍ୟକ୍ରମ କରାଯିବାର ଲକ୍ଷ ରଖିଛି ପ୍ରଶାସନ ବୋଲି ସୂଚନା ମିଳିଛି । ଦିନକୁ ଦିନ ବୃଦ୍ଧିପାଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ଲାଗି ପ୍ରଶାସନର ଏହା ଏକ ଅଭିନବ ପ୍ରୟାସ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଏମ୍ ଭି ଆଇ ବସନ୍ତ କୁମାର ମହାପାତ୍ର, ପାରଳାଖେମୁଣ୍ଡି ଥାନା ଅଧୀକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସହ ଅନ୍ୟାନ୍ୟ ପଦାଧୀକାରୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ – କୃଷ୍ଣ କୁମାର ବେହେରା