ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସହରସ୍ଥିତ ନୂତନ ବସଷ୍ଟାଣ୍ଡ ପରିସରରେ ଆଜି ୩୨ମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ସମ୍ମାନୀତ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସଡକ ସୁରକ୍ଷା ବାର୍ତ୍ତା ପ୍ରଦାନ କରିବା ସହିତ ଜିଲ୍ଲାବାସୀଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶର୍ମା ନୀଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ରଥଟି ଆସନ୍ତା ସପ୍ତାହ ଯାଏଁ ସବୁ ବ୍ଲକରେ ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବ ବୋଲି ଜଣାଯାଇଛି । ତେବେ ସମଗ୍ର ବିଶ୍ୱ ତୁଳନାରେ ଭାରତରେ ସର୍ବାଧିକ ସଡକ ଦୁର୍ଘଟଣାରେ ଲୋକଙ୍କ ପ୍ରାଣହାନୀ ଘଟିଥାଏ । ସେହିପରି ସାରା ଦେଶରେ ସର୍ବାଧିକ ଓଡିଶାରେ ସଡକ ଦୁର୍ଘଟଣା ଘଟୁଥିବାରୁ ରାଜ୍ୟରେ ଏଥିପ୍ରତି ବ୍ୟାପକ ସଚେତନତା ସୃଷ୍ଟି କରିବା ଜରୁରୀ ରହିଛି । ତେଣୁ ରାସ୍ତାରେ ଯିବା ସମୟରେ ମଦ୍ୟପାନ ନକରି ଗାଡି ଚଳାଇବା ଓ ସଡକ ନିୟମ ମାନି ଗଡି ଚଳାଇଲେ ହିଁ ଦୁର୍ଘଟଣାକୁ ଏଡାଇ ହେବ ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତ ଥର ୧ମାସ ଯାଏଁ ଏହି ସଡକ ସୁରକ୍ଷା ସଚେତନତା ସପ୍ତାପ ପାଳନ ହେବ । ଗତବର୍ଷ ସେପ୍ଟେମ୍ବର ୧ତାରିଖଠାରୁ ସାରା ଦେଶରେ ନୂତନ ମୋଟର ଯାନ ଆଇନ ପ୍ରଣୟନ କରାଯାଇଥିବା ବେଳେ ଆଇନ ସଂକ୍ରାନ୍ତରେ ଅଧିକ ସଚେତନତା କରିବା ପାଇଁ ଆଗାମୀ ମାସକ ପର୍ଯ୍ୟନ୍ତ ପ୍ରୟାସ କରାଯିବ ବୋଲି ଅଞ୍ଚଳିକ ପରିବହନ ଅଧିକାରୀ ଦିଲୀପ କୁମାର ଦଳାଇ ସୂଚନା ଦେଇଛନ୍ତି । ଏହିକ୍ରମରେ ପରିବହନ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରିବା ସକାଶେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ଲକ୍ଷ ରଖିଥିବା ଜଣାଯାଇଛି । ସଚେତନତା ସହିତ ଜିଲ୍ଲାରେ କଡା ଯାଞ୍ଚ ପୂର୍ବକ ମୋଟର ଯାନ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ ଗ୍ରହଣ କରାଯିବ । ଆସନ୍ତା ୨୩ ତାରିଖ ଦିନ ବାଇକ ରାଲି ଓ ୨୪ତାରିଖ ଦିନ ପଦଯାତ୍ରା ଆୟୋଜିତ ହେବା ସହିତ ସହରବାସୀଙ୍କୁ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରାଯିବାକୁ ଲକ୍ଷ ରହିଥିବା ଶ୍ରୀ ଦଳାଇ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରପାଳୀକା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ସତପଥି ସୂଚନା ଅଧିକାରୀ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।