ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଗଜପତି ଜିଲାର ମୋହନା ଠାରୁ ଆନ୍ଧ୍ରର ନାରସନାପେଣ୍ଠକୁ ସଂଯୋଗ କରୁଥିବା ୩୨୬ ଏ ଜାତୀୟ ରାଜପଥରେ ଆଜି ପୁଣି ଏକ ଦୁର୍ଘଟଣା ଘଟିଛି । ଆନ୍ଧ୍ରର ବିଶାଖାପାଟଣା ଠାରୁ ଗଜପତି ଜିଲ୍ଲାର ମୋହନାକୁ ଯାଉଥିବା ଏକ ଗ୍ୟାସ ବୋଝେଇ ଟ୍ରକ ଆଜି ଭୋର ୫ଘଣ୍ଟା ସମୟରେ ଓଲଟି ପଡିଛି । ଏହି ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବ୍ୟତିତ ଆଉ କିଛି ଅଘଟଣ ଘଟି ନାହିଁ । ଏପି ୧୬ ଟିଏକ୍ସ ୧୭୩୯ ନମ୍ବର ବିଶିଷ୍ଟ ଅଶୋକ ଲାଇଲାଣ୍ଡ ଟ୍ରକଟି ଗଜପତି ଜିଲ୍ଲାର ବୋମିକା ଛକ ନିକଟରେ ଓଲଟି ପଡିଛି । ଟ୍ରକରେ ୩ଶହ ଗ୍ୟାସ ସିଲିଣ୍ଡର ଥିଲା । ଟ୍ରକ ଓଲଟି ପଡିବାରେ ସିଲିଣ୍ଡର ଗୁଡିକ ତଳେ ପଡିଯାଇଛି । ଟ୍ରକର ଡ୍ରାଇଭର ଏମ.ମୂର୍ତ୍ତି କହିଛନ୍ତି,ଆନ୍ଧ୍ର ବିଶାଖପାଟଣାରୁ ଗଜପତି ଜିଲ୍ଲାର ମୋହନା ଇଣ୍ଡିୟାନ ଗ୍ୟାସ ବିତରକଙ୍କ ନିକଟକୁ ଗ୍ୟାସ ସିଲିଣ୍ଡର ଦେବା ପାଇଁ ଯାଉଥିଲି । ଭୋର ୫ଘଣ୍ଟା ସମୟରେ ବୋମିକା ବୁଲାଣିଆ ଛକ ଠାରେ ହଠାତ୍ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣା ସ୍ଥଳରେ ଗଜପତି ଜିଲ୍ଲା ରାୟଗଡ ଥାନା ପୋଲିସ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ,ଏହି ୩୨୬ଏ ଜାତୀୟ ରାଜପଥରେ ପ୍ରାୟ ପ୍ରତ୍ୟେକ ଦିନ ଏଭଳି ଛୋଟ ବଡ ଦୁର୍ଘଟଣା ଘଟୁଛି । ତଥାପି ଏହାର ପ୍ରତିକାର ପାଇଁ କାହାର ନଜର ନାହିଁ । ରାସ୍ତାର ବୁଲାଣିଆ ଅଞ୍ଚଳ ଗୁଡିକରେ ଦୁର୍ଘଟଣା ଘଟୁଛି । ତେଣୁ ବୁଲାଣିଆ ହୋଇ ଥିବା ରାସ୍ତାରେ ଯେପରି ଯାନବାହାନ ଦୁର୍ଘଟଣା ନ ଘଟେ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନିଆଯିବା ପାଇଁ ସାଧାରଣରେ ଦାବୀ ହୋଇଛି ।
ରିପୋର୍ଟ :କୃଷ୍ଣ କୁମାର ବେହେରା