୩ ଦଫା ଦାବି ନେଇ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ସମବାୟ ସମିତି ଓ ଲ୍ୟମ୍ପସ କର୍ମଚାରୀଙ୍କ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ସୋମବାର ଦିନ ୩ ଦଫା ଦାବି ନେଇ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ସମବାୟ ସମିତି ଓ ଲ୍ୟମ୍ପସ କର୍ମଚାରୀଙ୍କ ପକ୍ଷରୁ ବ୍ରହ୍ମପୁର ସମବାୟ ବ୍ୟାଙ୍କ ପରିସରରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଧାରଣାରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଥିବା ୨୫୪ ପ୍ରାଥମିକ କୃଷି ସମବାୟ ସମିତି ଓ ଲ୍ୟମ୍ପସର ସମ୍ପାଦକ ଓ କର୍ମଚାରୀ ସାମିଲ ହୋଇଛନ୍ତି । ଏଚଆର ପଲିସି ୨୦୧୧ ପ୍ରକାରେ ସମବାୟ ସମିତି କର୍ମଚାରୀଙ୍କୁ ଶତକଡା ୩୦ ଭାଗ କେନ୍ଦ୍ର ସମବାୟ ବ୍ୟାଙ୍କରେ ଖାଲିଥିବା ବ୍ୟାଙ୍କ ଆସିଷ୍ଟାଣ୍ଡ ପାଦରେ ଅବସ୍ଥାପିତ କରିବା ଏବଂ ସମବାୟ ବିଭାଗ ଓଡିଶା ନିବନ୍ଧକଙ୍କ ଘୋଷଣା ଅନୁସାରେ ସମିତି ପ୍ରଶାସନିକ ପାଣ୍ଠି କେନ୍ଦ୍ର ସମବାୟ ବ୍ୟାଙ୍କରେ ଗଠନ କରାଯିବା ଓ ଧାନ କିଣା କମିଶନ ଟଙ୍କା ସମିତିର ସ୍ଥାୟୀ ଜମାଖାତାରେ ରଖିବାକୁ ଦାବି କରାଯାଇଛି । ଗ୍ରାମାଞ୍ଚଳର ତୃଣମୂଳସ୍ତରରେ କୃଷକ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ଅର୍ଥନୈତିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ସମବାୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସେମାନେ ଅତି ଅଳ୍ପ ଦରମାରେ କାର୍ଯ୍ୟ କରି ଆସୁଛନ୍ତି ବୋଲି ସଂଘର ସଭାପତି ସୀତାରାମ ପ୍ରଧାନ କହିଛନ୍ତି । ବ୍ରହ୍ମପୁର ସମବାୟ ବ୍ୟାଙ୍କର ସଭାପତି ଅଲେଖ ଚୋୖଧୁରୀ, ବିସିସି ବ୍ୟାଙ୍କ ନିର୍ଦ୍ଦେଶକ ବି.ତ୍ରିନାଥ ଓ ସନ୍ତୋଷ କୁମାର ପାତ୍ରଙ୍କ ଉପସ୍ଥିତିରେ ସଂଘର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ସମବାୟ ସମିତିର କର୍ମଚାରୀଙ୍କୁ କେନ୍ଦ୍ର ସମବାୟ ବ୍ୟାଙ୍କ ବିଭିନ୍ନ ଶାଖାରେ ୩୦ ପ୍ରତିଶତ ପାଦରେ ଅବସ୍ଥାପିତ କରାଯିବା ନେଇ ୧୫ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ସେହିପରି ଏକ ମାସ ମଧ୍ୟରେ ଲାଭାଂଶର ୫ ପ୍ରତିଶତ ସମିତି ପ୍ରଶାସନିକ ପାଣ୍ଠିରେ ଜମା କରିଯିବା ଓ ଧାନ କିଣା କମିଶନ ଟଙ୍କା ସମିତିର ସ୍ଥାୟୀ ଜମା ଖଟରେ ରଖାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଆଲୋଚନା ବେଳେ କର୍ମଚାରୀ ସଂଘର ସଭାପତି ଶ୍ରୀ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ଦିଗମ୍ୱର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ନବକିଶୋର ପାଢ଼ୀ, ସଦସ୍ୟ ମହେଶ୍ୱର ଚୌଧୁରୀ ଓ କେ. ସନ୍ତୋଷଙ୍କ ସମେତ ବହୁ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା