ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଅବକାରୀ ବିଭାଗ ୪୦ଲିଟରର ବିଦେଶୀ ମଦ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l କେତେକ ସ୍ଥାନର ବେଆଇନ ମଦ କାରବାର ଚାଲିଥିବା ଖବର ପାଇ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ କରି ପ୍ରଚୁର ପରିମାଣର ମଦ ଜବତ କରିବାରେ ସଫଳ ହୋଇଥିବା ବେଳେ ପୁଣି ଗତକାଲି ବ୍ରହ୍ମପୁର ଅଂଚଳରୁ ଏକ ବେଆଇନ ମଦ କାରଖାନା ଉପରେ ବ୍ରହ୍ମପୁର ଅବକାରୀ ବିଭାଗ ଚଢ଼ାଉ କରିଛି l ସୂଚନା ଅନୁସାରେ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାୟକଙ୍କ ନିର୍ଦେଶକ୍ରମେ ଗତକାଲି ବ୍ରହ୍ମପୁର ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଏକ ସ୍କୁଟି ଚାଳକଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିବା ସମୟରେ ସ୍କୁଟି ଚାଳକ ନିକଟରୁ ଦୁଇଟି ବସ୍ତାରେ ଥିବା ବିଭିନ୍ନ ବ୍ରାଣ୍ଡର ନକଲି ମଦ ଜବତ କରିଥିଲା ଅବକାରୀ ବିଭାଗ l ସ୍କୁଟି ଚାଳକ ଜଣକୁ ଅବକାରୀ ବିଭାଗ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ସେ ବ୍ରହ୍ମପୁର ନିକଟସ୍ଥ ରାଳବ ନିକଟରୁ ମଦ କିଣି ଆଣିବା ଖବର ସାମ୍ନାକୁ ଆସିଥିଲା l ତେବେ ସ୍କୁଟି ଚାଳକଙ୍କୁ ସାଥିରେ ନେଇ ରାଳବ ନିକଟସ୍ଥ ଉକ୍ତ ମଦ କାରଖାନା ଉପରେ ଚଢ଼ାଉ କରି ସେଠାରୁ ବିଭିନ୍ନ ବ୍ରାଣ୍ଡର ୪୦ ଲିଟର ବିଦେଶୀ ମଦ, ମଦ ପ୍ରସ୍ତୁତି ସରଞ୍ଜାମ, ଖାଲି ବୋତଲ, ଠିପି, ସ୍ପିରିଟ ଜବତ କରିଥିବା ଜଣାପଡିଛି l ଏହି ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ବି ସନ୍ତୋଷ କୁମାର ପାତ୍ର, ସୁବାଶିଷ ଚୌଧୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା