୪୮ ଘଣ୍ଟାରେ ଅଭିଯୁକ୍ତ ଓକିଲଙ୍କୁ ଗିରଫ କର – ହାବିଲଦାର ଓ କନଷ୍ଟେବଳ ମହାସଂଘ

ପୁଣି ଓକିଲଙ୍କ ଦାବିନେଇ ରାଜନୀତି ଆରମ୍ଭ କଲେ ………..

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) – ଗତ ୨ ମାସରୁ ଅଧିକ ଦିନ ଧରି ପ୍ରଶାସନ ଓ ଆଇନଜୀବୀ ମାନଙ୍କ ବିବାଦ ଘଟଣାରେ ଶେଷରେ ମୁହଁ ଖୋଲିଛି ହାବିଲଦାର ଓ କନଷ୍ଟେବଳ ମହାସଂଘ । ସରକାର ଓ ଆଇନଜୀବୀ ଙ୍କ ମଧ୍ୟରେ ବିବାଦ ବଢିବା ଯୋଗୁଁ ବିନା ଦୋଷ ରେ ବଳି ପଡୁଛନ୍ତି କନଷ୍ଟେବଳ ଓ ହାବିଲଦାର ବୋଲି ଅଭିଯୋଗ ଆଣିଛି ସଙ୍ଘ । ଭୁବନେଶ୍ୱର ସପ୍ତମ ବାଟାଲିଅନ ପରିସରରେ ହୋଇଥିବା ଏକ ଗଣମାଧ୍ୟମ ସମ୍ମିଳନୀରେ ସଙ୍ଘ ପକ୍ଷରୁ ଏଭଳି ଅଭିଯୋଗ ହୋଇଛି । ପୋଲିସ କାନ୍ଧ ରେ ବନ୍ଧୁକ ରଖି ଉଭୟ ପକ୍ଷ ଫାଇଦା ଉଠାଉଥିବା ଅଭିଯୋଗ ହୋଇଅଛି । ଗତ ୨୯ ତାରିଖ ରେ ହାଇକୋର୍ଟ ପରିସରରେ ଏଜି ଓ ଜଷ୍ଟିସ ଙ୍କ ସୁରକ୍ଷା ରେ ସାଦା ପୋଷାକ ରେ ନିୟୋଜିତ ୪ କନଷ୍ଟେବଳ ଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ କିଛି ଓକିଲ । ପୃଥକ ପୃଥକ ଘଟଣାରେ ୧୯ ଜଣ ଆଇନଜୀବୀ ଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ କୌଣସି ଜଣେ ଅଭିଯୁକ୍ତ କୁ ଏଯାଏଁ ଗିରଫ କରାଯାଇନାହିଁ । ଏହି ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସଙ୍ଘ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି । ଭିଭିଆଇପି ଙ୍କ ସୁରକ୍ଷା ବ୍ୟବସ୍ଥା ରୁ ଓହରିବା ସହ ଆବଶ୍ୟକ ସ୍ଥଳେ ମୌନ ବ୍ରତ କରିବ ସଙ୍ଘ । ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ଏହା ଚାଲୁ ରହିବ ବୋଲି ଚେତାବନୀ ଦିଆଯାଇଛି । ସେହିପରି ଅଗଷ୍ଟ ୨୮ ତାରିଖ ଦିନ ସମ୍ପୃକ୍ତ ମଦ୍ୟପ ଆଇନଜୀବୀ ଙ୍କ ସହ ଘଟିଥିବା ଘଟଣାରେ ପୋଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଅଭିଯୁକ୍ତ ଆଇନଜୀବୀଙ୍କ ବିରୋଧରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ , ସେ ନେଇ ପ୍ରଶ୍ନ କରିଛି ସଙ୍ଘ ।ଏହି ଘଟଣା ରେ ଚାଉଳିଆଗଞ୍ଜ ଥାନାଧିକାରୀ ଙ୍କ ଭୂମିକା ସନ୍ଦେହ ଘେରରେ ଥିବା କହିଛି ସଙ୍ଘ ।ଏହି ଗଣମାଧ୍ୟମ ସମ୍ମିଳନୀରେ ରାଜ୍ୟ ମହାସଂଘ ସଭାପତି ସନ୍ତୋଷ ଶତପଥି , ସମ୍ପାଦକ ପଞ୍ଚାନନ ବେହେରା , ସାଙ୍ଗଠନିକ ସମ୍ପାଦକ ବୃନ୍ଦାବନ ବେହେରା, ଭୁବନେଶ୍ୱର ଶାଖା ସଙ୍ଘ ସଭାପତି ପ୍ରବୋଧ ଦାସ, ସପ୍ତମ ବାଟାଲିୟନ , କଟକ ସଙ୍ଘ ଓ ଜିଆରପି ସଙ୍ଘ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଆକାଶ ମିଶ୍ର