୬୦ ତମ ପୋଲିସ ଶହୀଦ ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଜିଲ୍ଲା ସଦର ମହକୁମା ଠାରେ ଗଞ୍ଜାମ ପୋଲିସ ତରଫରୁ ପୋଲିସ ଶହୀଦ ଦିବସ ସ୍ଥାନୀୟ ପୋଲିସ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶହୀଦ ସ୍ମୃତି ସ୍ମରାକୀରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ସହିତ ପୋଲିସ ଶହୀଦ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ କେନ୍ଦ୍ରୀୟ ସୁରକ୍ଷା ବଳର ୧୦ ଜଣ ଜବାନ ଲଦାଖର ହଟସ୍ପ୍ରିଙ୍ଗ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚିନ ସୈନ୍ୟମାନଙ୍କ ସହିତ ମୁକାବିଲା କରି ଶହୀଦ ହୋଇଥିଲେ । ୧୯୬୦ ମସିହା ଜାନୁୟାରୀ ମାସରେ ଦିଲ୍ଲୀ ଠାରେ ଅନୁଷ୍ଠିତ ପୋଲିସ ଆଇଜି ମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଅକ୍ଟୋବର ୨୧ ତାରିଖକୁ ପ୍ରତି ବର୍ଷ ଦେଶର ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ପୋଲିସ ଶହୀଦ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ୬୦ ତମ ପୋଲିସ ଶହୀଦ ଦିବସ ପାଳନ କରାଯାଇଛି । ସେପ୍ଟେମ୍ବର ୧ତାରିଖ ଠାରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଯେଉଁମାନେ ଶହୀଦ ହୋଇଛନ୍ତି, ସେମାନଙ୍କୁ ସ୍ମରଣ କରାଯାଇଥିଲା । ଚଳିତ ଶହୀଦ ଦିବସ ଅବସରରେ ୨୯୨ ଜଣ ପୋଲିସ କର୍ମଚାରୀ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ନାମ ଆରକ୍ଷୀ ଅଧିକ୍ଷକ ପାଠ କରିବା ସହିତ ବୀରତ୍ୱକୁ ପ୍ରଶଂସା କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପତିତପାବନ ଚୌଧୁରୀ, ଅଷ୍ଟମ ବାଟାଲିୟନର ଡେପୁଟି କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା, ଜିଲ୍ଲା ପୋଲିସର ଆଇନ ପରାମର୍ଶ ଦାତା ଅବସର ପ୍ରାପ୍ତ ଜଷ୍ଟିସ କେ.ଧର୍ମା ରାଓ ଦୋରା ପ୍ରଭୃତି ଶହୀଦ ସ୍ମୃତି ସ୍ମାରକରେ ପୁଷ୍ପ ପ୍ରଦାନ କରିଥିଲେ । ରିଜର୍ଭ ଇନିସ୍ପେକ୍ଟର ଗଙ୍ଗାଧର ଧାଙ୍ଗଡ଼ ପ୍ୟାରେଡ଼ ପରିଚାଳନା କରିଥିଲେ । ଛତ୍ରପୁର ଅନସ୍ଲୋ ଅନୁଷ୍ଠାନର ସ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ମାନଙ୍କୁ ଆରକ୍ଷୀ ଅଧିକ୍ଷକ ଏହି ଅବସରରେ ପ୍ରୋତ୍ସାହିତ କରିଥିଲେ ।

ସେହିପରି ବ୍ରହ୍ମପୁରରେ ମଧ୍ୟ ପୋଲିସ ପକ୍ଷରୁ ଆମ୍ବପୁଆ ଠାରେ ଥିବା ରିଜର୍ଭ ପୋଲିସ ପଡିଆରେ ଆଜି ୬୦ ତମ ପୋଲିସ ସହୀଦ ଦିବସ ପାଳିତ କରାଯାଇଛି । ଏହି ଅବସରେ ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ଅନୁଷ୍ଠିତ ପ୍ୟାରେଡ଼ରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଚଳିତ ବର୍ଷ ସହୀଦ ହୋଇଥିବା ପୋଲିସ ଓ ସୁରକ୍ଷା କାରମାଇଙ୍କ ନାମ ପାଠ କରିଥିଲେ । ପରେ ସହୀଦ ସ୍ତମ୍ବ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ସହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଅତିରିକ୍ତ ପୋଲିସ ଏସପି ପ୍ରଭାତ ରାଉତରାୟ, ଏସଡ଼ିପିଓ ବିଷ୍ଣୁ ପତି, ଡ଼ିଏସପି ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଥାନାର ଥାନା ଅଧିକାରୀ ଓ ପୋଲିସ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା