ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଭୋର ୬୦ନଂ ଜାତୀୟ ରାଜପଥର ଶାନ୍ତିଆ ପୋଲ ଠାରେ ଏକ ଅଚିହ୍ନା ଯୁବକ ହାତ, ଗୋଡ, ମୁହଁ ବନ୍ଧା ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ପୋଲିସ୍ ଏହାକୁ ଉଦ୍ଧାର କରି ପ୍ରଥମେ ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା କରୁଥିବା ବେଳେ ସମଗ୍ର ହସ୍ପିଟାଲ ଅଂଚଳକୁ ସାମ୍ବାଦିକ ମାନଙ୍କୁ ଛଡାଯାଇନଥିଲା । ଫଳରେ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବା ସହିତ ବାହାରେ ବହୁ ସାମ୍ବାଦିକ ଅପେକ୍ଷା କରିଥିଲେ । ଗତ ଶନିବାର ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡିକୁ ସାମ୍ବାଦିକ ମାନଙ୍କୁ ପ୍ରବେଶକୁ ରୋକ ଲଗାଯାିଥିବା ବେଳେ ଆଜି ଜଳେଶ୍ୱର ପୋଲିସ୍ ସାମ୍ବାଦିକଙ୍କୁ ଡାକ୍ତରଖାନା ଭିତରକୁ ଯିବାକୁ ନ ଦେବା ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା କୁହାଯାଇଛି । ଘଟଣାରୁ ପ୍ରକାଶ, ଶନିବାର ଭୋର ଜଣେ ୨୨ବର୍ଷର ଅଚିହ୍ନା ଯୁବକର ହାତ, ଗୋଡ ଓ ମୁହଁ ବନ୍ଧା ଥିବା ବେଳେ ଶାନ୍ତିଆ ରେଳ ଓଭରବ୍ରିଜ୍ ନିକଟରେ ଡାଉନ୍ ଲାଇନ୍ରେ ମୁହଁମାଡି ପଡିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ କେତେକ ଯୁବକ ଏ ସମ୍ପର୍କରେ ପୋଲିସ୍କୁ ଖବର ଦେବାରୁ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିଲା । ଯୁବକର ମୁଣ୍ଡ ଲଣ୍ଢା ଥିବା ବେଳେ ନାଲି ବେନିଅନ୍ ଓ କଳା ଟ୍ରାଉଜର ପିନ୍ଧିଥିଲା । ପୋଲିସ୍ ଯୁବକକୁ ଚିକିତ୍ସାଲାଗି ଜିକେଭଟ୍ଟର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପିଡିତର ନିକଟକୁ ଯିବାକୁ ଦିଆଯାଇନଥିଲା । ବରଂ ଆଇଆଇସି କେତେକ ସାମ୍ବାଦିକଙ୍କୁ ସେଠାକୁ ଯିବାକୁ ବାରଣ କରିଥିଲେ । ପରେ ପିଡିତକୁ ବାଲେଶ୍ୱର ଫକିରମୋହନ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ୬୦ନଂ ଜାତୀୟ ରାଜପଥର ରାଜଘାଟ ଠାରୁ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ଯାଏ ରାସ୍ତାରେ ବାରମ୍ବାର ଚୋରୀ, ଛିନ୍ତାୟୀ, ରାହାଜାନୀ ଓ ଅପହରଣ ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ପୁଲିସ୍ର ନଜର ନାହିଁ । ପ୍ରକାଶଯୋଗ୍ୟ ପ୍ରାୟ ୩ବର୍ଷ ମଧ୍ୟରେ ୫ଜଣ ଡ୍ରାଇଭରଙ୍କୁ ଅପହରଣ କରି ଅନ୍ୟସ୍ଥାନରେ ଛଡାଯାଇଥିବା ବେଳେ ପରେ ସେମାନେ ଫେରି ଆସି ଥାନାରେ ଲିଖିତ ବିବୃତି ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ସୁବର୍ଣ୍ଣରେଖା ନଦୀର ରାଜଘାଟ ପୋଲ ତଳୁ ଜଣେ ଟ୍ୟାଙ୍କର ଡ୍ରାଇଭର ମୃତ ଶରୀର ମିଳିଥିଲେ ମଧ୍ୟ ଘଟଣା ସଂପର୍କରେ ପୋଲିସ୍ ଅନ୍ଧାରରେ ବାଡି ବୁଲାଉଛି । ବିଭିନ୍ନ ସମୟରେ ଅପହରଣ କରାଯାଇଥିବା ଗାଡିଗୁଡିକ ଅନ୍ୟ ରାଜ୍ୟକୁ ନିଆଯାଉଥିବା ସିସି ଟିଭି ଫୁଟେଜ୍ ଓ ଜିପିଆର୍ଏସ୍ରୁ ଜଣା ପଡିଥିଲେ ମଧ୍ୟ ପୋଲିସ୍ ଖାଲି ହାତରେ ବସିଛି । ପେଟ୍ରୋଲ, ଡିଜେଲ ଧରି ଟ୍ୟାଙ୍କର ଗୁଡିକ ଗଲାବେଳେ ଦୁବୃତ୍ତମାନେ ସେଥିରୁ ତେଲ ବାହାର କରିନେଉଛନ୍ତି । କେତେକ ସ୍ଥାନୀୟ ଯୁବକ ଢାବା ଓ ହୋଟେଲ ମାନଙ୍କରେ ଆଡ୍ଡା ଜମାଇ ବିଭିନ୍ନ କୌଶଳରେ ଡ୍ରାଇଭର ମାନଙ୍କୁ ନିଶା ଦ୍ରବ୍ୟ ଖୁଆଇ ଲୁଟ କରୁଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ୍ର ସେପରି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଫଳରେ କେତେକ ଯୁବକ ଗାଡି ମାନଙ୍କୁ ଜୋର ଜବରଦସ୍ତ ଚନ୍ଦା ଉଠାଇବା ସହିତ ଡ୍ରାଇଭର ଓ ହେଲପର ମାନଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଏ ସମ୍ପର୍କରେ ଜଳେଶ୍ୱର ପୋଲିସ୍ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନଥିଲେ । ତେଣୁ ଜଳେଶ୍ୱରରେ ଜଣେ ଦକ୍ଷ ଯୁବ ଆଇପିଏସ୍ କେଡାରର ପୋଲିସ୍ ଅଧିକାରୀ ନିଯୁକ୍ତିକୁ ବୁଦ୍ଧିଜିବି ମହଲରେ ଦାବି କରାଯାଇଛି ।
ରିପୋର୍ଟ : ଭୂପତି ପରିଡା