




ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୬ ଦଫା ଦାବି ପୂରଣ ନେଇ ରାଜ୍ୟରେ ସମସ୍ତ ରକ୍ତଭଣ୍ଡାରରେ କାର୍ଯ୍ୟରତ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ଓଡ଼ିଶାର ସମସ୍ତ ରକ୍ତଭଣ୍ଡାରରେ ସୃଷ୍ଟି ହୋଇଛି ଅଚଳାବସ୍ଥା । ଏହାର ପ୍ରଭାବ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ରେଡ଼କ୍ରସ୍ ରକ୍ତଭଣ୍ଡାରରେ ମଧ୍ୟ ପରିଲକ୍ଷିତ ହୋଇଛି । କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ ଶିବିର ଅନୁଷ୍ଠିତ ହୋଇପାରୁନାହିଁ । ଯାହାଫଳରେ ଆବଶ୍ୟକ ମୁତାବକ ରକ୍ତ ଅଭାବ ଯୋଗୁଁ ଗତ ୩ ଦିନ ମଧ୍ୟରେ ସମସ୍ୟା ବଢ଼ିବାରେ ଲାଗିଛି । ବ୍ରହ୍ମପୁର ବଡ଼ମେଡ଼ିକାଲ ଦକ୍ଷିଣ ଓଡ଼ିଶାର ଏକମାତ୍ର ପ୍ରମୁଖ ଚିକିତ୍ସାଳୟ ହୋଇଥିବା ବେଳେ ପ୍ରତିଦିନ ଥାଲାସେମିଆ, ହେମୋଫିଲିଆ, ସିକଲସେଲ୍ ଆଦି ରୋଗୀଙ୍କ ସମେତ ବହୁ ଗୁରୁତର ରୋଗୀ, ଦୁର୍ଘଟଣାରେ ଶିକାର ବ୍ୟକ୍ତି ଏଠାରେ ଚିକିତ୍ସିତ ଅବସ୍ଥାରେ ରକ୍ତର ଆବଶ୍ୟକ କରୁଛନ୍ତି । କିନ୍ତୁ ଧିରେ ଧିରେ ପରିସ୍ଥିତି ଗମ୍ଭୀର ସ୍ଥିତିକୁ ଗତି କରୁଛି । ରକ୍ତ ଭଣ୍ଡାର କର୍ମଚାରୀ ରାଜ୍ୟ ସଂଘର ପ୍ରମୁଖ ଦାବି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ଓ ସେମାନଙ୍କ ପାଇଁ ସପ୍ତମ ବେତନ କମିଶନ ଦରମା ଲାଗୁ କରିବା ସମେତ ୬ ଦଫା ଦାବି ନେଇ ଗତ ୨୬ ତାରିଖରୁ ସଂଘର ଆହ୍ୱାନ କ୍ରମେ ସମସ୍ତେ ଭୂବନେଶ୍ୱର ଠାରେ ଧାରଣା ଦେଇଛନ୍ତି । ଅନ୍ୟପକ୍ଷରେ ରୋଗୀ ମାନେ ରକ୍ତ ପାଇବାରୁ ବଂଚିତ ହେଉଛନ୍ତି । ଏହି ରକ୍ତଭଣ୍ଡାରରେ ପ୍ରତିଦିନ ପ୍ରାୟ ୮୦ରୁ ଉଦ୍ଧ୍ୱର୍ ୟୁନିଟ ରକ୍ତ ର ଆବଶ୍ୟକତା ପଡ଼ୁଥିବା ବେଳେ ବ୍ରହ୍ମପୁର ରକ୍ତଭଣ୍ଡାରରେ ବର୍ତମାନ ଏହାର ଅଧା ମଧ୍ୟ ଉପଲବ୍ଧ ନଥିବା ଜଣାପଡ଼ିଛି । ତେଣୁ ସରକାର ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ କରିବା ପାଇଁ ଦାବି ହେଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

