

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋରନା ସଂକ୍ରମଣ ରୋକିବା ଓ ଏହାର ଭୟାବହତା ଲାଗି ଦେଶବ୍ୟାପି ୭୧ଦିନ ଧରି ଯାତ୍ରିବାହୀ ଟ୍ରେନ ଚଳାଚଳ ବନ୍ଦ ରହିବାପରେ ଆଜି ପ୍ରଥମକରି ୦୨୦୭୪ ଜନଶତାବ୍ଦି ଟ୍ରେନ୍ ଦିନ ୧୦ଟାରେ ଭୂବନେଶ୍ୱରୁ ଆସି ଜଳେଶ୍ୱରରେ ପହଞ୍ଚିଥିଲା । ଏଠାରୁ ୨୩ଜଣ ଯାତ୍ରୀ ସାମାଜିକ ଦୂରତା ରକ୍ଷା କରି ୨ ପ୍ଲାଟଫର୍ମରୁ ଟ୍ରେନ୍ରେ ଚଢିବାପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କେନିଂ ଓ ଯାତ୍ରା ସଂପର୍କୀତ ସମସ୍ତ ତଥ୍ୟ ପଂଜିକରଣ କରାଯାଇଥିଲା । ସେହିପରି ଟ୍ରେନ୍ରୁ ୧୭ଜଣ ଯାତ୍ରୀ ଓହ୍ଲାଇବା ପରେ ସେମାନଙ୍କୁ ପଂଜିକରଣ କରାଯାଇ ସେମାନଙ୍କ ଡାହାଣ ହାତରେ ଅଲିଭା କାଳିରେ ଷ୍ଟାମ୍ପିଂ କରାଯାଇଥିଲା । ସେହିପରି ୦୨୦୭୩ ଅପ୍ ଟ୍ରେନ୍ଟି ନିର୍ଦ୍ଧାରିତ ସମୟର ୧ଘଣ୍ଟା ବିଳମ୍ବରେ ଜଳେଶ୍ୱର ଷ୍ଟେସନରେ ଲାଗିଥିଲା । ଏଥିରେ ୨୨ଜଣ ଯାତ୍ରୀ ଚଢିଥିବା ବେଳେ ୫୦ଜଣ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇଥିବା ରେଳବାଇ ସୂତ୍ରୁର ପ୍ରକାଶ । ପ୍ରତିଦିନ ଏହି ଟ୍ରେନ୍ ଯାତାୟାତ କରିବାକୁ ଥିବା ବେଳେ ପରିକ୍ଷା ନିରୀକ୍ଷା, ଥର୍ମାଲ ସ୍କେନିଂ ଓ ଷ୍ଟାମ୍ପିଂ ହେବ ବୋଲି ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଷ୍ଟେସନ ସୁପରି ଟେଣ୍ଡେଣ୍ଟ ଖଗେନ୍ଦ୍ର ମଣ୍ଡଳ କହିଛନ୍ତି । ଟ୍ରେନ୍ ଆସିବା ପୂର୍ବରୁ ସକାଳ ୭.୩୦ରେ ସମସ୍ତ ପ୍ଲାଟଫର୍ମକୁ ସାଇଟାଇଜ୍ କରାଯିବାପରେ ଯାତ୍ରୀମାନଙ୍କୁ ଷ୍ଟେସନ ଭିତରୁ ଯିବାର ଅନୁମତି ଦିଆଯାଇଥିଲା । ଷ୍ଟେସନର ଉତ୍ତର ଓ ଦକ୍ଷିଣ ପାଶ୍ୱର୍ରେ ପ୍ଲାଟଫର୍ମକୁ ବେରିକେଟ କରାଯାଇ ୱାନ୍ ୱେ ଯାତାୟାତର ସମସ୍ତ ବ୍ୟବସ୍ଥା ଆର୍ପିଏଫ ଓ ଜିଆରାପି ପକ୍ଷରୁ କରାଯାଇଥିଲା । ଜଳେଶ୍ୱର ବିଡିଓ ଦିପ୍ତିରଂଜନ ସେଠୀ, ମ୍ୟୁୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, କମଳ ଲୋଚନ ପାତ୍ର, ପ୍ରଶାନ୍ତ ପାତ୍ର, ଆର୍ପିଏଫ ଏସ୍ ସରକାର, ଅମିତ୍ କୁମାର, ସତିଶ କୁମାର, ରାଜୀବ କୁମାର, ଜିଆର୍ପି ଏମ୍. ଭଂଜ, କେ. ଗଣ୍ଡ, ପ୍ରମୋଦ ଚନ୍ଦ୍ର ପରିଡା, ଡି. ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଡିଏମ୍ୟୁ, ମେମୁ ଓ ଏମ୍ୟୁ ବନ୍ଦ ରହିବା ସଂପର୍କରେ ମଧ୍ୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା