୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ସାରା ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡଃ ଆମ୍ବେଦକର, ମଧୁସୁଦନ ଦାସ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଦାସ, ମାଳତୀ ଚୌଧୁରୀ, ନବକିଶୋର ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ପାର୍ବତୀ ଦେବୀ, ରମା ଦେବୀ, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବୀର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ କରୋନା ସ୍ଥିତି ଉପରେ ଆଲୋକପାତ କରାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନା ମୁକାବିଲା ପାଇଁ ସାହସର ସହ କାମ କରିବାକୁ ପଡିବ । କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ ହସ୍ପିଟାଲ କରାଯାଇଛି । ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ମଧ୍ୟ କରାଯାଇଛି । କେହି ପଇସା ଅଭାବରୁ କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ । କରୋନା ଯୋଦ୍ଧାଙ୍କ ସେବାର ତୁଳନା ନାହିଁ । କରୋନା ଯୋଦ୍ଧାଙ୍କ ପାଇଁ ସାରା ଦେଶରେ ଆମର ମୃତ୍ୟୁ ସଂଖ୍ୟା କମ୍ ରହିଛି । ଏହାସହ କେବଳ ଭାରତ ନୁହେଁ, ସାରା ବିଶ୍ୱ ପାଇଁ ସଙ୍କଟ ଆଣିଛି ମହାମାରୀ କରୋନା । କରୋନା ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ ଓ ପରିବହନ ସେବା ପ୍ରଭାବିତ ହୋଇଛି । ବିଶ୍ୱର କୋଟି କୋଟି ଲୋକ କରୋନା ପାଇଁ ଜୀବିକା ହରାଇଛନ୍ତି । ଭ୍ୟାକ୍ସିନ ଆସି ସାରିଲେ ହିଁ କରୋନା ନିୟନ୍ତ୍ରଣକୁ ଆସିପାରିବ । କ୍ଷତି ଭରଣା ପାଇଁ ସମସ୍ତଙ୍କୁ ସାହସର ସହ କାମ କରିବାକୁ ପଡ଼ିବ । ମୋର ବିଶ୍ୱାସ କରୋନା ଶୀଘ୍ର ଦେଶରୁ ଦୂରେଇ ଯିବ ଓ ସ୍କୁଲ୍‌ରେ ଘଣ୍ଟ ବାଜିବ । କୃଷି, ନିର୍ମାଣ ଓ କର୍ମ ସଂସ୍ଥାନ ସୃଷ୍ଟି ପାଇଁ ସରକାର କାର୍ଯ୍ୟ କରୁଛନ୍ତି ।  ଓଡ଼ିଶାକୁ ୧୨ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପୁଞ୍ଜି ନିବେଶରେ ୧ ନମ୍ବର ସ୍ଥାନ ହାସଲ କରିଛି । ୨୦୧୯-୨୦ରେ ଦେଶରେ କୃଷି ଅଭିବୃଦ୍ଧି ହାର ୨.୮% ଥିବା ବେଳେ ରାଜ୍ୟରେ ୭.୬୧% ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।