ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ଖଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କର ଅଭିଭାଷଣରେ ପ୍ରଥମେ ସ୍ୱାଧୀନତା ସଂଗ୍ରାମ ସମୟରେ ଆମେ ଅନୁସରଣ କରିଥିବା ଅହିଂସା ଓ ସଂଘର୍ଷର ବାଟ ଆଜି ପୃଥିବୀ ସାରା ସମସ୍ତେ ମନେ ପକାଉଛନ୍ତି ଏବଂ ଏହାଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି । ସ୍ୱାଧୀନତା ଦେଶର ନାଗରିକ ହିସାବରେ ଆମର ଲୋକାଭିମୁଖୀ ରାଜ୍ୟ ସରକାର ଜନହିତକର ବିଭିନ୍ନ ଯୋଜନା ଲାଗୁ କରିଛନ୍ତି । ପିଲାମାନଙ୍କ ଶାରୀରିକ ଓ ଭୌତିକ ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଶ୍ରେଣୀଗୃହରେ ଅନ୍ଲାଇନ୍ ପାଠ୍ୟକ୍ରମ ଓ ଇ-ପାଠାଗାର ବ୍ୟବସ୍ଥା କରାଯାଇଛି । ତେଣୁ ଆଜିର ଦିନରେ ମୋର ସମସ୍ତ ନାଗରିକଙ୍କୁ ଅନୁରୋଧ ସମସ୍ତେ ମିଳିତ ଭାବରେ ଶପଥ ନେବା ଦେଶ ଓ ରାଜ୍ୟର ଉନ୍ନତି ନିମନ୍ତେ ଆମେ ନିଜର ରାଜ୍ୟ ତଥା ଦେଶକୁ ପ୍ରଗତି ପଥରେ ଆଗେଇନେବା ବୋଲି ବକ୍ତବ୍ୟ ରଖିଥିଲେ । ଏହି ଉପଖଣ୍ଡସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ଉତ୍ସବରେ ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ୱି. କୀର୍ତ୍ତି ୱାସନ ଅଂଶ ଗ୍ରହଣ କରିଥିଲେ । ଏଥିରେ ଆଗଧାଡ଼ିର କରୋନା ଯୋଦ୍ଧା ତଥା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ୍, ଅଗ୍ନିଶମ ଓ ସପେଇ କର୍ମଚାରୀଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କରୋନା ସମୟରେ ଅସହାୟ ଗରିବ ଲୋକଙ୍କୁ ଖାଦ୍ୟ ପୁଡ଼ିଆ ଯୋଗାଇ ଦେବାରେ ବ୍ରହ୍ମପୁର ସହରର ବିଭିନ୍ନ ସଂସ୍ଥା ଓ ସଂଗଠନ ମୁଖ୍ୟଭୂମିକା ରହିଥିବାରୁ ସେହି ସଂଗଠନଗୁଡ଼ିକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ଦିବସ ଉତ୍ସବ ଅବସରରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆ ପରିସରରେ ବୃକ୍ଷରାପଣ କରାଯାଇଥିଲା । ଏହି ଉତ୍ସବରେ ବ୍ରହ୍ମପୁର ଆର୍ଆଇଅଫ୍ ପୋଲିସ୍ ଦିଲିପ କୁମାର ବେହେରା ପ୍ୟାରେଡ଼୍ ପରିଚାଳନା କରିଥିଲେ । ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଥିବା ବେଳେ ପରିଚାଳନାରେ ବିଭାଗୀୟ ବରିଷ୍ଠ କର୍ମଚାରୀ ଗୌରୀଶଙ୍କର ଶତପଥୀ ଓ ଲୋକନାଥ ଶତପଥୀ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା