

ଦଶରଥପୁର(ସମୃଦ୍ଧଓଡିଶା) ଦଶରଥପୁର ବ୍ଲକ ମଲ୍ଲୀକାପୁର ପଞ୍ଚାୟତରେ ଆଜି ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ପ୍ରଶାସନ ଉଦ୍ଧାର କରିଛି। ଉଦ୍ଧାର ପରେ ଏହି ଅସୁସ୍ଥ ବୃଦ୍ଧା ଜଣଙ୍କୁ ଚିକିତ୍ସା ନିମନ୍ତେ ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି | ଖବର ଅନୁଯାୟୀ ମଲ୍ଲୀକାପୁର ଗ୍ରାମର ଶାନ୍ତିଲତା ପାଣି ନାମକ ଜଣେ ୮୦ ବର୍ଷୀୟା ଅସହାୟ ବୃଦ୍ଧା ମୁଖ୍ୟ ରାସ୍ତା ଉପରେ ବସି କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ଦେଖିଥିଲେ | ପରେ ଗ୍ରାମର କେହି ଜଣେ ଯୁବକ ବୃଦ୍ଧାଙ୍କ ଏପରି ଅସହାୟକୁ ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଥିଲା | ଏହି ଘଟଣାକୁ ପ୍ରଶାସନ ଦେଖିବା ପରେ ଦଶରଥପୁର ବ୍ଲକର ବିଡ଼ିଓ ଆକାଶ ପଟନାୟକ, କନିଷ୍ଠ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର କାପ, ମଙ୍ଗଳପୁର ଥାନା ଅଧିକାରୀ ଚିନ୍ମୟୀ ସାହୁ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଥିଲେ | ସେଠାରୁ ବୃଦ୍ଧା ଜଣକୁ ଉଦ୍ଧାର କରାଯାଇ ମଙ୍ଗଳପୁର ମେଡିକାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା | ବୃଦ୍ଧା ଜଣକ ସମ୍ପୂର୍ଣ୍ଣ ଅସୁସ୍ଥ ଥିବା ବେଳେ ଭଲ ଭାବରେ କଥାବାର୍ତା କରିପାରୁନଥିଲେ | ବୃଦ୍ଧାଙ୍କର ଚିକିତ୍ସା ପରେ ମଙ୍ଗଳପୁର ପୋଲିସ ତାଙ୍କୁ ନିଜ ହେପାଜତରେ ନେଇ ତାଙ୍କ ଘରେ ଛାଡିଛନ୍ତି | ବାତ୍ୟା ସମୟରେ ବିଡ଼ିଓ ଆକାଶ ପଟ୍ଟନାୟକ ଓ ମଙ୍ଗଳପୁର ଥାନା ଅଧିକାରୀ ଚିନ୍ମୟୀ ସାହୁଙ୍କର ଏଭଳି ମହନୀୟତା କାର୍ଯ୍ୟକୁ ବ୍ଲକ ବାସି ବେଶ ଉଚ୍ଚ ପ୍ରଶଂସା କରିଛନ୍ତି |
ରିପୋର୍ଟ : ରଜତ ମହାପାତ୍ର