ରାୟଗଡ଼ା (ସମୃଦ୍ଧ ଓଡିଶା) ରାଜ୍ୟ ଓ କେନ୍ଦ୍ର ସରକାର କରୋନା କଟକଣା କୋହଳ କରିବାପରେ ବଢିଛି ଦାଦନଙ୍କ ବାହୁଡା । ଆଜି ୯ଜଣ ନାବାଳକ ଶିଶୁଙ୍କୁ ସେଶଖାଲ ପୋଲିସ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି । ବିଗତ ୬ମାସରୁ ଉର୍ଦ୍ଧ୍ୱ ଲକଡାଉନ ଓ ସଟଡାଉନରେ ଫସି ଜୀବିକା ହରାଇଥିବା ଦାଦନ ଏବେ କର୍ମସ୍ଥାନକୁ ଫେରିବା ପାଇଁ ଉପାୟ ଖୋଜୁଛନ୍ତି । ପାରିବାରିକ ଆର୍ଥୀକ ଅନାଟନ ଲାଗିରହିଥିବାରୁ ଜୀବୀକା ଉପାର୍ଜନ ସକାଶେ ମହାମାରୀ ଭୂତାଣୁ ସଂକ୍ରମଣ ଭୟ ଯେପରି ଏମାନଙ୍କ ପାଇଁ ତୁଚ୍ଚ ହୋଇଯାଇଛି । ରାୟଗଡ଼ା ଜିଲ୍ଲା ପଡୋଶୀ ରାଜ୍ୟ ଆନ୍ଧ୍ର ସୀମାନ୍ତବର୍ତ୍ତି ହୋଇଥିବାରୁ ଗ୍ରାମାଞ୍ଚଳର ଅଧିକ ଶ୍ରମଜୀବୀ ଶତାଧିକ ସଂଖ୍ୟାରେ ଦାଦନ ଖଟିବା ସକାଶେ ଆନ୍ଧ୍ର ଓ ଦକ୍ଷିଣାଞ୍ଚଳ ରାଜ୍ୟକୁ ଯାଉଥିବା ନଜିର ରହିଛି । କରୋନା ସଂକ୍ରମଣ ଯୋଗୁଁ ସରକାରଙ୍କ ଲକଟାଉନ ଓ ସଟଡାନ କଟଣା ଲଗିବା ଫଳରେ ଦାଦନ ନିଜ ଘର ବାହୁଡି ଥିଲେ । ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଦାଦନଙ୍କୁ ନିଜ ଅଞ୍ଚଳରେ ଶ୍ରମକାର୍ଯ୍ୟ ଦେବାକୁ ବିଫଳ ପ୍ରମାଣିତ ହେଲା ପରେ ଶ୍ରମଜୀବୀ ଦାଦନ ଖଟି ଦୁଇ ପଇସା ଉପାର୍ଜନ କରି ପରିବାର ପ୍ରତିପୋଷଣ କରିବା ନିମନ୍ତେ ପଡୋଶୀ ରାଜ୍ୟକୁ ଯାଉଥିବା ପରିଲିକ୍ଷତ ହେଉଛି । ଆଜି ୧୫ଜଣ ଆନ୍ଧ୍ରପ୍ରଦେଶ ରାଜମୁନ୍ଦ୍ରିସ୍ଥିତ ଏକ ଚିଙ୍ଗୁଡି କମ୍ପାନୀକୁ ଦାଦନ ଖଟିବାକୁ ଯାଉଥିଲେ । ଖବର ପାଇ ପୋଲିସ ଯେମାଦେଇପେଣ୍ଠ ଓ ସେଷଖାଲ ମଧ୍ୟବର୍ତ୍ତି ରାସ୍ତାରୁ ଉକ୍ତ ଦାଦନକୁ ଉଦ୍ଧାର କରିଥିଲା । ତେବେ ଏଥିମଧ୍ୟରୁ ୯ଜଣ ଶିଶୁ ନାବାଳକ ରହିଥିବାରୁ ଚଇଲ୍ଡ ଲାଇନକୁ ଏ ନେଇ ସୂଚନା ଦେବା ପରେ ଚାଇଲ୍ଡ ଲାଇନ ଅଧିକାରୀ ପହଞ୍ଚି ଶିଶୁଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଉକ୍ତ ଶିଶୁ ରାୟଗଡ଼ା ସଦର ବ୍ଲକ ଅଧିନ ଗାଜିଗାଁ, ପିପିଲିଗୁଡା ଓ ବୈରାଗି ହାଲୁଆ ଗ୍ରାମପଞ୍ଚତର ବୋଲି ଜଣାପଡିଛି ।