ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହେଲେ ଜଣାଇବାକୁ ନିର୍ଦ୍ଦେଶ:ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ବିଭନ୍ନ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଗତକାଲି ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ଫନୀ ବାତ୍ୟା ବେଳେ ଏବଂ ପରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଟିମ୍‌ ପକ୍ଷରୁ କରାଯାଇଥିବା କାର୍ଯ୍ୟକୁ ବୈଠକରେ ଜିଲାପାଳ ପ୍ରଶଂସା କରିଥିଲେ । ଜନସାଧାରଣଙ୍କୁ ଅଧିକ ଉତ୍ତମ ସେବା ଯୋଗାଇଦେବାର ଆବଶ୍ୟକତା ଥିବା ଜିଲାପାଳ କହିଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସାମିଲ କରାଯାଇ ସ୍କୁଲଗୁଡ଼ିକର ବିକାଶ ସହ ସେଠାରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଉଥିବା, ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ମଧ୍ୟ ଲୋକମାନଙ୍କୁ ସାମିଲ କରାଯାଇ ଏହାର ଭିତ୍ତିଭୂମି ସୁଦୃଢ଼ ସହ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ପ୍ରତି ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ବାୟୋମେଟ୍ରିକ୍‌ ବ୍ୟବସ୍ଥା ଓ ସିସିଟିଭି ଲଗାଇବା ବାଧ୍ୟତାମୂଳକ ବୋଲି କହିଛନ୍ତି । ସିସିଟିଭି ଦ୍ୱାରା ଆବଶ୍ୟକ ପଡିଲେ ପୋଲିସ ତଦନ୍ତରେ ସହାୟତା ହୋଇପାରିବ ବୋଲି ଜିଲାପାଳ କହିଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକ୍‌ ଭାବେ ସଫେଇ ଓ ଗାର୍ଡେନ କରିବାକୁ କୁହାଯାଇଛି । ପିଆଇପି (ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ୍‌ ପ୍ଲାନ୍‌)-୨୦୧୯-୨୦  ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ଜିଲାରେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ଷ୍ଟାଫଙ୍କୁ ସମ୍ମାନିତ ସହ ପୁରସ୍କୃତ କରାଯାଇଥିଲା । ସେଥିମଧ୍ୟରେ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଥମ ହୋଇଥିବା ବେଳେ କୁକୁଡାଖଣ୍ଡି ସିଏଚସି ଦ୍ୱିତୀୟ ଓ ଭାଟକୁମରଡା ସିଏଚସି ତୃତୀୟରେ ରହିଛନ୍ତି । ଘର ଘର ବୁଲି ମଧୁମେହ, କ୍ୟାନ୍‌ସର ଓ ରକ୍ତଚାପ ଆଦି ରୋଗୀଙ୍କୁ ଚିହ୍ନଟ କରି ସ୍କ୍ରିନିଂ କରିବାରେ ସଫଳତା ନେଇ ଖଲ୍ଲିକୋଟ ସିଏଚସି ପ୍ରଥମ, କୋଦଳା ସିଏଚସି ଦ୍ୱିତୀୟ ଓ ଗାଲେରୀ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ତୃତୀୟ ଭାବେ ପୁରସ୍କୃତ ହୋଇଛନ୍ତି । ଏହି ଆଭିମୁଖ୍ୟ ରଖି କାମ କରିବାକୁ ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି । ଛତ୍ରପୁର ହସ୍ପିଟାଲ ଓ କୋଦଳା ସିଏଚସି ଚଳିତବର୍ଷ କାୟାକଳ୍ପ ଆୱାର୍ଡ ପାଇଛି । ଅତିକମ୍‌ରେ ସମସ୍ତ ଉପଖଣ୍ଡ ହସ୍ପିଟାଲ ଓ ସିଏଚସି ଏହି ଆୱାର୍ଡକୁ ଲକ୍ଷ୍ୟ ରଖି କାମ କଲେ ସମସ୍ତେ ଏଥିରେ ଉତ୍ତୀର୍ଣ୍ଣ ହୋଇପାରିବେ ଏବଂ ଏଥିପାଇଁ ସ୍ବାସ୍ଥ୍ୟକେନ୍ଦ୍ରର ମଧ୍ୟ ବିକାଶ ହୋଇପାରିବ ବୋଲି ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ମାନ ବୃଦ୍ଧି କରିବାକୁ ଅନୁଦାନ ଦିଆଯାଇଥିଲେ ହେଁ ବାଲିସିରା, ଭାଟକୁମରଡା, ଖଲ୍ଲିକୋଟ ଓ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ର ଜମା ଅର୍ଥ ଖର୍ଚ୍ଚ କରି ନ ଥିବା ସମୀକ୍ଷାରୁ ଜଣାପଡ଼ିଥିଲା। ରୋଗୀ କଲ୍ୟାଣ ସମିତି ଓ ଗଭର୍ନିଂ ବଡି ବୈଠକ ବରାବର କରିବା, ନିର୍ଦ୍ଧାରିତ ସମୟରେ ବିନିଯୋଗ ପ୍ରମାଣପତ୍ର ଦାଖଲ ଓ ଆଶାକର୍ମୀମାନଙ୍କୁ ଭତ୍ତା ଠିକ୍‌ ସମୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ମ୍ୟାଲେରିଆରେ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇ ନ ଥିବାବେଳେ ୧୨୮୪ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଥିଲା । ଆଡପଡା, ବମକେଇ, ପାତ୍ରପୁର, ବଡଗଡ, ଧରାକୋଟ, ଗାଲେରି, ପୋଲସରା, ଚିକିଟି ଓ ଶେରଗଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଅଞ୍ଚଳରେ ମ୍ୟାଲେରିଆ ଅଧିକ ଦେଖାଦେଇଥାଏ । ଏନେଇ ସଚେତନତା କାର‌୍ୟ୍ୟକ୍ରମ ସହ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କୋଦଳା ସିଏଚସି ପକ୍ଷରୁ ଆଶା କର୍ମୀମାନଙ୍କୁ ଭତ୍ତା ବାବଦରେ ୧ ଲକ୍ଷ ଟଙ୍କା ୬୫ ହଜାର ବକେୟା ରଖିଛି । ଏହା ତୁରନ୍ତ ଦେବା ସହ ଏଥିରେ ଖିଲାପ କଲେ ବିପିଏମ୍‌ ମାନଙ୍କ ଦରମା ବନ୍ଦ କରାଯିବ ବୋଲି ସିଡିଏମଓ ସତର୍କ କରାଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ଜନିତ ମୃତ୍ୟୁ ହେଲେ ଏସମ୍ପର୍କରେ ସିଡିଏମଓଙ୍କୁ ଜଣାଇବାକୁ କୁହାଯାଇଛି । ଏଥିସହ ଆଗକୁ ବର୍ଷା ଦିନ ଆସୁଥିବାରୁ ଝାଡାବାନ୍ତି ବ୍ୟାପିବାର ସମ୍ଭାବନା ଥାଏ । ଏଣୁ ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ବୈଠକରେ ଅତିରିକ୍ତ ମୁଖ୍ୟ ଚକିତ୍ସାଧିକାରୀ ଡା. ଭି. ସରୋଜିନୀ ଦେବୀ, ଡା. ଆର୍‌.ଜେ. ପଟ୍ଟନାୟକ, ସିଟି ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ପି. କୁର୍ମେୟା, ଡା. ମନୋଜ କୁମାର ପଣ୍ଡା, ଡା. ଅବନୀ କୁମାର ପାତ୍ର, ଛତ୍ରପୁର ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡା. କାହ୍ନୁ ଚରଣ ପାତ୍ର, ଭଞ୍ଜନଗର ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ  ଡା. ପି. ଦାଶ, ଡିଏମଆରସିଏଚ୍‌ ଶକ୍ତି କୁମାର ଦିଗାଲ, ଏମକେସିଜିର ଆସିଷ୍ଟାଣ୍ଟ ପ୍ରଫେସର ଡା. ବି କେ. ସାହାଙ୍କ ସମେତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ଛତ୍ରପୁର ହସ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡା, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା