ଅକାମିୟା ହୋଇପଡିଛି ଚେକ୍‍ଡ୍ୟାମ, ଚିନ୍ତାରେ ଚାଷୀ…

ରାୟଗଡା (ସମୃଦ୍ଧ ଓଡିଶା) ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ଅନେକ ଯୋଜନା । ଏ ନେଇ ସରକାରଙ୍କ ରାଜସ୍ୟପାଣ୍ଠିରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଏଗୁଡିକ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉନଥିବାର ଉଦାହରଣ ପାଲଟିଛି ରାୟଗଡା ଜିଲ୍ଲା ପିତାମହଲ ଗ୍ରାମପଞ୍ଚାୟତର ବିଷ୍ଣୁଗୁଡା ବାଲୁଜୋଡି ନଦୀ ଉପର ମୁଣ୍ଡରେ ରହିଥିବା ଏକ ଚେକଡ୍ୟାମ । ଗତ ୨୦୦୯ ମସିହାରେ ସ୍ଥାନୀୟ ଅଞ୍ଚଳର କୃଷକଙ୍କ ଜମିକୁ ସିଧାସଳଖ ପମ୍ପ ହାଉସ ଯୋଗେ ଜଳ ଯୋଗାଇବା ନିମିତ୍ତ ଜିଲ୍ଲା ପ୍ରଶାସନ ଯୋଜନା ଅନୁଯାୟୀ ଏଠାରେ ନିର୍ମାଣ ହୋଇଥିଲା ଏହି ଚେକଡ୍ୟାମ । ନିର୍ମାଣର ୫ବର୍ଷ ଯାଏଁ ଡ୍ୟାମଟି ସଠିକ ରୂପେ କାର୍ଯ୍ୟକାରୀ ହୋଇଥିବାବେଳେ ୨୦୧୨ମସିହା ବନ୍ୟାଜଳରେ ତାହା କ୍ଷତିଗ୍ରସ୍ତ ହୋଇଥିଲା । ତାହା ପରଠାରୁ ଆଜିଯାଏଁ ଏହା ଅବ୍ୟବହୃତ ଅବସ୍ଥାରେ ପଡିରହିଛି । ଫଳରେ ଉକ୍ତ ଚେକ୍‍ଡ୍ୟାମ ଯେଉଁ ଉଦ୍ଦେଶ୍ୟ ନେଇ ନିର୍ମାଣ କରାଯାଇଥିଲା ତାହା ସାଧିତ ହୋଇପାରୁନାହିଁ । ସ୍ଥାନୀୟ ଅଞ୍ଚଳର ଚାଷୀ ବାରମ୍ବାର ଏ ନେଇ ସମ୍ପୃକ୍ତ ଅଧିକାରୀ ଏବଂ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଅଧିକାରୀ ଏଥିପ୍ରତି କୌଣସି ପଦକ୍ଷେପ ନେଇନଥିବା ଅଞ୍ଚଳବାସି ପ୍ରକାଶ କରିଛନ୍ତି । ଅପରପକ୍ଷେ ଉକ୍ତ ଚେକଡ୍ୟାମ ଯୋଗୁଁ ବିଗତ ଦିନରେ ପିତାମହଲ, ବିଷ୍ଣୁଗୁଡା, ହରିପୁର ଅଞ୍ଚଳ ଶତାଧିକ ଏକର ଚାଷଜମିକୁ ବର୍ଷା ଜଳ ନିରନ୍ତର ଯୋଗାଇ ହେଉଥିଲା । ଯାହା ଫଳରେ ଚାଷୀ ଏଠାରେ ବର୍ଷସାରା ପନିପରିବା ସାଙ୍ଗକୁ ଶସ୍ୟଜାତୀୟ ଫସଲ ଧାନ, ମାଣ୍ଡିଆ, ମକା ଇତ୍ୟାଦି ଚାଷ କରି ଉପକୃତ ହେଉଥିଲେ । କିନ୍ତୁ ଦୀର୍ଘ ଦିନରୁ ଡ୍ୟାମଟି ପରିତ୍ୟକ୍ତ ହୋଇ ପଡିରହିଥିବାରୁ ଖରିଫ ଋତୁରେ ବର୍ଷା ଜଳ ସଂରକ୍ଷଣ କରି ରଖାଯାଇପାରୁନାହିଁ । ଫଳରେ ଉକ୍ତ ଅଞ୍ଚଳରେ ଧାନ, ମଣ୍ଡିଆ ଚାଷ ବ୍ୟତୀତ ଅନ୍ୟ କୌଣସି ଫସଲ ହେଉନଥିବା ଚାଷୀ ମଦନ ହୀମିରିକା ପ୍ରକାଶ କରିଛନ୍ତି । ଏଥିସହ ସେ କହିଛନ୍ତି, ବର୍ଷତମାମ୍‍ ଚାଷ କାର୍ଯ୍ୟ ପାଇଁ କ୍ଷେତରେ ପାଣି ଆବଶ୍ୟକ ରହିଛି । ପନିପରିବା ଚାଷ ପାଇଁ ଏହି ଅଞ୍ଚଳର ମାଟି ଅତ୍ୟନ୍ତ ଉର୍ବର ଥିବା ବେଳେ ଉକ୍ତ ଚାଷ ପାଇଁ ପାଣି ଜରୁରୀ । ସ୍ଥାନୀୟ ଅଞ୍ଚଳବାସୀ ଚାଷ ପ୍ରତି ଆଗ୍ରହ ରଖୁଥିବାବେଳେ ଚାଷଜମିକୁ ପାଣି ନପହଞ୍ଚିବାରୁ ଅନେକ କୃଷକ ଚାଷଠାରୁ ମୁହଁ ମୋଡି ଦାଦନ ପାଇଁ ପଡୋଶୀ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ମଦନ । ରାଜ୍ୟରେ ଅନେକ କୃଷକ ସମସ୍ତ କୃଷିଜନିତ ସୁବିଧା ସୁଯୋଗ ପାଇ ପନିପରିବା ତଥା ଅନ୍ୟ ଫସଲ ଚାଷ କରି ଆର୍ଥିକ ରୂପେ ସ୍ୱାବଲମ୍ବୀ ହେଉଥିବା ଅନେକ ନଜିର ରହିଛି । କିନ୍ତୁ ଆଦିବାସୀ ବହୁଳ ରାୟଗଡା ଜିଲ୍ଲାରେ ଅନୁରୂପ ସୁବିଧା ସୁଯୋଗ ଉପଲବ୍ଧ ହେଉନଥିବାରୁ ଚାଷ କାର୍ଯ୍ୟରୁ ମୁହଁ ଫେରାଇ ସ୍ଥାନୀୟ ଯୁବକ ଜୀବିକା ଉପାର୍ଜନର ବିକଳ୍ପ ଭାବେ ଦାଦନ ଖଟିବାକୁ ଯାଉଥିବା ଅଞ୍ଚଳରେ ମତ ପ୍ରକାଶ ପାଉଛି । ଏ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଅସିତକୁମାର ଦାସଙ୍କୁ ପ୍ରତିକ୍ରିୟା ପଚାରିବାରୁ ସେ କହିଛନ୍ତି, ନୂତନ ରୂପେ କାର୍ଯ୍ୟଭାର ସମ୍ଭାଳିଥିବାରୁ ସମସ୍ୟା ସମ୍ପର୍କରେ କୌଣସି ଅଭିଯୋଗ ତାଙ୍କର ହସ୍ତଗତ ହୋଇନାହିଁ । ତେବେ ଆଗାମୀ ଦିନରେ ସମ୍ପୃକ୍ତ ଚେକଡ୍ୟାମକୁ ଅନୁସନ୍ଧାନ କରାଯିବ । ଯଦି ଏହା କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଗତ ହୋଇଥାଏ, ତେବେ ବିଭାଗ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ଗ୍ରହଣ କରିବ । ଦୀର୍ଘ ଦିନରୁ କୃଷକଙ୍କ ସ୍ୱାର୍ଥକୁ ବିଭାଗୀୟ ଅଧିକାରୀ ଅଣଦେଖା କରିଚାଲିଥିବା ବେଳେ ସମ୍ପୃକ୍ତ ବିଭାଗ କିପରି ପଦକ୍ଷେପ ଗ୍ରହଣ କରୁଛି ତାହା ଆଗାମୀ ଦିନରେ ଜଣାପଡିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚାର ଚାଲିଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ