ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅକ୍ଟୋବର ମାସରେ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତେବେ ସେ କେବେ ଏବଂ କେଉଁ ସ୍ଥାନକୁ ଆସିବେ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ।୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଓଡ଼ିଶା ଗସ୍ତରେ ଆସୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲଙ୍କର ଏହା ହେବ ପ୍ରଥମ ଓଡ଼ିଶା ଗସ୍ତ। ରାହୁଲ ଓଡ଼ିଶା ଗସ୍ତରେ ଆସୁଥିବା ଖବର ଜଣାପଡ଼ିବା ପରେ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରି ଯାଇଛି। ରାହୁଲ ଆସିବା ପରେ ସଙ୍ଗଠନ ଅଧିକ ମଜଭୁତ ହେବ ବୋଲି କଂଗ୍ରେସ ନେତାମାନେ ଆଶା କରିଛନ୍ତି।୨୦୦୦ ମସିହାଠାରୁ କଂଗ୍ରେସ ଓଡ଼ିଶାରେ କ୍ଷମତାରେ ନାହିଁ। ୧୮ ବର୍ଷ ହେଲା କଂଗ୍ରେସ ବିରୋଧୀ ଦଳ ଆସନରେ ବସି ଆସିଛି। ୨୦୧୯ରେ ଓଡ଼ିଶାରେ ପୁଣି କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି।