ଅକ୍ଟୋବର ୨ରୁ ନଭେମ୍ବର ୨ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଜନସଂପର୍କ  ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨ ତାରିଖରେ ରାଜ୍ୟସ୍ତରୀୟ ପଦଯାତ୍ରାକୁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଶୁଭାରମ୍ଭ କରିବେ । ଜନ ସଂପର୍କ ପଦଯାତ୍ରା ସମୟରେ ଦଳର କର୍ମକର୍ତ୍ତା/ ନିର୍ବାଚିତ ପ୍ରତିନିଧି / ୱାର୍ଡ କମିଟିର ସଦସ୍ୟ/ସଦସ୍ୟା ଓ ସମସ୍ତ ଦଳୀୟ ସଂଗଠନର କର୍ମକର୍ତାମାନେ ପଦଯାତ୍ରାରେ ଯାଇ ପ୍ରତ୍ୟେକ ଘରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କ ସଫଳତାର ବାର୍ତା ପ୍ରସାର ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବେ । ଏହି ମର୍ମରେ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତ ଦଳୀୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସଂଯୋଜକ, ବିଧାୟକ, ବିଧାୟିକା, ସାଂସଦ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି, ବ୍ଲକ ଓ ନଗର ସଭାପତି ଓ ପର୍ଯ୍ୟବେକ୍ଷକଙ୍କୁ ପତ୍ର ଲେଖି ଜଣାଇଛନ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି । ପତ୍ରରେ ସଭାପତି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ଓ ଭରସାର ପ୍ରତୀକ ବିଜୁ ଜନତା ଦଳ । ଓଡ଼ିଶାର ବିକାଶ ଓ ଓଡ଼ିଶାର ସ୍ୱାଭିମାନ, ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବାରେ ବିଜୁ ଜନତା ଦଳ ସର୍ବଦା ଗୁରୁତ୍ୱ ଦେଇଆସିଛି । ଦୀର୍ଘବର୍ଷ ଧରି ଓଡ଼ିଶା କେନ୍ଦ୍ରର ଅବହେଳାର ଶିକାର ହୋଇଆସୁଛି । ଏହି ଅବହେଳା ବିରୋଧରେ କେବଳ ବିଜେଡି ହିଁ ଦୃଢ଼ ଭାବରେ ନିଜର ସ୍ୱର ଉତୋଳନ କରିଛି । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିଭିନ୍ନ ସମୟରେ ନିଜର ହକ୍ ଦାବି କରିଛି ।ପଦଯାତ୍ରା ସମୟରେ ଦଳୀୟ କର୍ମୀମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଯଥା- ‘ଆମ ଗାଁ ଆମ ବିକାଶ’ ‘ଆମ ସହର ଆମ ଉନ୍ନତି’ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ମହିଳା, କୃଷକ ଓ ଛାତ୍ରଙ୍କ ପାଇଁ ୧% ସୁଧରେ ଋଣ ବ୍ୟବସ୍ଥା, ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ, ୪ବର୍ଷରେ ୧୭ଲକ୍ଷ ପକ୍କା ଘର ନିର୍ମାଣ, ସହରାଂଚଳ ବସ୍ତିବାସିନ୍ଦାଙ୍କୁ ଭୂମି ଓ ସଂପତି ଅଧିକାର, କୃଷକଙ୍କ ଆୟ, କୃଷି ଉପôାଦନ ୨ଗୁଣ ହେବା, ୭ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା, ରାଜ୍ୟର ଯୁବକ-ଯୁବତୀଙ୍କ ସଶକ୍ତିକରଣ, ‘ମିଶନ ଶକ୍ତି’ ଓ ମହିଳା ସଶକ୍ତିକରଣ, ଆମ ରାଜ୍ୟର ଅନୁକରଣୀୟ ‘ସାମାଜିକ ସୁରକ୍ଷା ଯୋଜନା’ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ । ଗତ ନିର୍ବାଚନ ସମୟରେ ବିଜୁ ଜନତା ଦଳ ଦେଇଥିବା ପ୍ରତିଶ୍ରୁତିର ପରିପୂରଣ ସଂପର୍କରେ ଜନସାଧାରଣଙ୍କୁ ମଧ୍ୟ ଅବଗତ କରାଇବେ ।ସେହିପରି ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ବିଭିନ୍ନ ସମୟରେ ଅବହେଳା, ପକ୍ଷପାତିତା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରୁଥିବା ଆମର ଦାବି ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବେ । ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା, କେବିକେକୁ ସ୍ୱତନ୍ତ୍ର ଅନୁଦାନ, ବିଭିନ୍ନ ଜନହିତକର ଯୋଜନାରୁ ଅର୍ଥ କାଟ, ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରି ଧାନର ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୯୩୦ ଟଙ୍କା ଲାଗୁ କରି ଚାଷୀଙ୍କୁ ନ୍ୟାୟ ଦେବା, ଏବଂ ମହାନଦୀ ଓ ପୋଲାଭରମ ପ୍ରସଂଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିବା, ଭାଟ ଓ ବିମୁଦ୍ରୀକରଣର କୁପ୍ରଭାବ, ମୁଦ୍ରାର ବିନିମୟ ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ଏବଂ ସଂପ୍ରତି ଅହେତୁକ ପେଟ୍ରୋଲ, ଡିଜେଲ୍‍ ଓ ରନ୍ଧନଗ୍ୟାସ୍ ଦର ବୃଦ୍ଧି କରି ସାଧାରଣ ଖାଉଟି-ଗୃହିଣୀଙ୍କ ଉପରେ ବୋଝ ଲଦିବା ସଂପର୍କରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବେ । ଉକ୍ତ ପଦଯାତ୍ରାକୁ ସଫଳ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକ, ସ୍ଥାନୀୟ ବିଧାୟକ/ବିଧାୟିକା, ବିଧାୟକ ପ୍ରାର୍ଥୀ, ସାଂସଦ ଓ ଜିଲ୍ଲା ସଭାପତି ଏହାର ନେତୃତ୍ୱ ନେବେ । ସେମାନେ ବିଜୁ ଜନତା ଦଳର ୱାର୍ଡ କମିଟିର କର୍ମକର୍ତା, ବିଜୁ ମହିଳା, ଯୁବ, ଛାତ୍ର, କୃଷକ, ଦଳିତ, ଶ୍ରମିକ, ସମବାୟ ଓ ଆଇନଜୀବୀ ସାମ୍ମୁଖ୍ୟର ସଦସ୍ୟବୃନ୍ଦ ଏଥିରେ ଯେପରି ଅଧିକ ସଂଖ୍ୟାରେ ସାମିଲ ହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଧେଶ ଦେଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।