ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ରାଷ୍ଟ୍ରୀୟ ପରିଷଦ ବୈଠକ:୨୫ ହଜାରରୁ କମ ପ୍ରସାରଣ ଥିବା ସମ୍ବାଦପତ୍ରଗୁଡ଼ିକୁ ଜିଏସଟି ପରିସରଭୁକ୍ତ ନ କରିବାକୁ ଦାବୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ରାଷ୍ଟ୍ରୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଉତ୍ତରପ୍ରଦେଶର କାନପୁର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାରରୁ କମ ପ୍ରସାରଣ ଥିବା ସମ୍ବାଦପତ୍ରଗୁଡ଼ିକୁ ଜିଏସଟି ପରିସରଭୁକ୍ତ ନ କରିବାକୁ ଦାବି କରାଯାଇଛି । ସଂଗଠନର ବରିଷ୍ଠ ନେତା ଅଶୋକ ଚତୁର୍ବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପରୋକ୍ତ ନିଷ୍ପତ୍ତି ନେବା ସହ ଏ ସମ୍ପର୍କରେ ଭାରତ ବର୍ଷର ବିଭିନ୍ନ ରାଜ୍ୟ ସଂଗଠନ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ, ଜିଏସଟି ପରିଷଦର ମୁଖ୍ୟ ଏବଂ ପ୍ରେସ କାଉନସିଲ ଅଫ୍‌ ଇଣ୍ଡିଆର ଦୃଷ୍ଟି ଆକର୍ଷଣ କରିବା ପାଇଁ ସମସ୍ତ ରାଜ୍ୟ କମିଟିକୁ ନିବେଦନ କରାଯାଇଥିଲା । ଏଠାରେ ଉଲ୍ଲେଖ କରାଯାଇ ପାରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ଜିଏସଟି ଛାଡ଼ ଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ମଧ୍ୟ ଛାଡ଼ କରିବା କ୍ଷେତ୍ରରେ କୌଣସି ସମସ୍ୟା ନାହିଁ ବୋଲି କୁହାଯାଇଥିଲା । ଅନ୍ୟାନ୍ୟ ପ୍ରସ୍ତାବରେ ଏହି କ୍ଷେତ୍ରରେ ଜିଏସଟିର ପ୍ରତିବନ୍ଧକ ଥିବାରୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକ ବିଜ୍ଞାପନ ପାଇବାରୁ ବଞ୍ଚିତ ହେଉଛନ୍ତି । ଜିଏସଟିର ଆଳ ଦେଖାଇ କର୍ପୋରେଟ ହାଉସମାନେ ଏହି ସମ୍ବାଦପତ୍ରଗୁଡ଼ିକୁ ବିଜ୍ଞାପନ ପ୍ରଦାନ କରୁନାହାନ୍ତି । ତେଣୁ ଏହି ଆଇନ କାର୍ଯ୍ୟକାରୀ ହେଲେ ସମ୍ପ୍ରତି ସମ୍ବାଦପତ୍ରଗୁଡ଼ିକ ସୁବିଧା ସୁଯୋଗରୁ ବଂଚିତ ହେବେ ନାହିଁ । ପ୍ରଥମେ ସଂଗଠନର ସଭାପତି କେଶବ ଦତ୍ତ ଚାନ୍ଦୋଲା ଅସୁସ୍ଥତା ଥିବା ସତ୍ତେ୍ୱ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । ସଂଗଠନର ସମ୍ପାଦକ ଲାଲସିଂ ଟେରନ ଗତ ମାର୍ଚ୍ଚ ୩୦-୩୧ ଦୁଇଦିନ ଧରି ଗୋପାଳପୁର ଠାରେ ଅନୁଷ୍ଠିତ ହୋଇଯାଇଥିବା ରାଷ୍ଟ୍ରୀୟ ପରିଷଦ ବୈଠକର ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ସାଧାରଣ ସମ୍ପାଦକ ଭାବେ ଶଙ୍କର କତିରା ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଲାଲସିଂ ଟେରନ (ଆସାମ), କଣ୍ଡଲ ରାଓ (ଆନ୍ଧ୍ରପ୍ରଦେଶ), କୋଷାଧ୍ୟକ୍ଷ ଭାବେ ଭଗବତୀ ଚାନ୍ଦୋଲା ନିର୍ବାଚିତ ହୋଇଥିବା ବେଳେ ସମସ୍ତ ରାଜ୍ୟ କମିଟିକୁ ପୁନର୍ଗଠିତ କରାଯାଇଥିଲା । କେତେକ ରାଜ୍ୟରେ ଦେଖା ଦେଇଥିବା ପୋଷ୍ଟାଲ ସମସ୍ୟା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାରୁ ସଭାପତି ରବି ରଥଙ୍କ ସମେତ ଉପସଭାପତି ଭଜରାମ ମହାପାତ୍ର, ସୀତା ମହାପାତ୍ର, ଶ୍ୟାମସିଂ ପାୱାର, ଡ଼. ଅନନ୍ତପ୍ରସାଦ ଶର୍ମା, ମୟୂର ଆର. ବରିଚ୍ଛା, ଏମ. ଅରୁଣା, କେ. ଭେଙ୍କଟ ରେଡ଼ୀ ପ୍ରମୁଖ ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ଶତାଧିକ ସମ୍ପାଦକ ଯୋଗ ଦେଇଥିଲେ । ଇତିମଧ୍ୟରେ ପରଲୋକ ଘଟି ଯାଇଥିବା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସମ୍ପାଦକଙ୍କ ନିମନ୍ତେ ଶୋକପ୍ରକାଶ କରାଯାଇ ସ୍ୱର୍ଗତ ଆତ୍ମାର ସଦଗତି କାମନା କରାଯାଇଥିଲା ।