

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସ୍ଥାନୀୟ ଲକ୍ଷ୍ମଣ ଭବନଠାରେ ଅଖିଳ ଭାରତ ଛାତ୍ର ସଂଘ ରାଜ୍ୟ ସଂଘ ପକ୍ଷରୁ ସମସ୍ତଙ୍କୁ ସମାନ ଓ ମାଗଣା ଶିକ୍ଷା ଏବଂ ନିଯୁକ୍ତିର ଗ୍ୟାରେଂଟି ଦାବି ନେଇ ୨ ଦିନିଆ ରାଜ୍ୟସ୍ତରୀୟ ଛାତ୍ର କର୍ମଶାଳା ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ଭାରତବର୍ଷରେ ଶିକ୍ଷା ଶେଷରେ ନିଯୁକ୍ତିର ଗ୍ୟାରେଂଟି ପାଇଁ ପ୍ରଣୟନ, ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ ବନ୍ଦ କରିବା, ଛାତ୍ର ସଂସଦ ନିର୍ବାଚନରେ କଳାଟଙ୍କା, ଗୁଣ୍ଡାମି, ମଦ ବନ୍ଦ କରି ସ୍ୱଚ୍ଛ ନିର୍ବାଚନ କରିବା, ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଓ ସମ୍ମାନ ଶିକ୍ଷା ସରକାର ଯୋଗାଇ ଦେବା ପାଇଁ ଦାବି ରହିଛି । ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ କରିବା, ଶିକ୍ଷା କ୍ଷେତ୍ରରେ ବଜେଟ୍ କୁ ବୃଦ୍ଧି କରିବା, ଶିକ୍ଷା ଶେଷରେ ସମସ୍ତଙକୁ ଚାକିରୀ ନଚେତ୍ ବେକାରୀ ଭତା ପ୍ରଦାନ କରିବା, ଛାତ୍ରଛାତ୍ରୀମାନଙ୍କ ବସ୍ ଏବଂ ରେଳରେ ୫୦ ପ୍ରତିଶତ ଟିକଟ ରିହାତି ବ୍ୟବସ୍ଥା କରିବା ଆଦି ଦାବି କରାଯାଇଥିଲା । ଏଥିରେ ଅଖିଳ ଭାରତ ଛାତ୍ରସଂଘର ରାଜ୍ୟ ସଂପାଦକ ଜଗନ୍ନାଥ ପାତ୍ର, ଜିଲ୍ଲା ସଭାପତି କାମଦେବ ନାହାକ, ଉପସଭାପତି ଭଗବାନ ରାଉଳ, ପୂର୍ବତନ ରାଜ୍ୟ ସଭାପତି ପ୍ରଶାନ୍ତ ମିଶ୍ର,ଗୋକୂଳ ଚନ୍ଦ୍ର ପଣ୍ଡା, ଏନ.ନାରାୟଣ ରେଡ଼ି, ନୀଳକଣ୍ଠ ଦାସ, ଅମୀୟ ମହାନ୍ତି, ଏସ.କ୍ରିଷ୍ଣା ରେଡ଼ି, ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସମେତ ରାଜ୍ୟର ବହୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମକୁ ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ଼ି ଉଦଘାଟନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



