
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଆଡେ ଏପରିକି ଶୀତଦିନେ ମଧ୍ୟ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଆଗକୁ ପିଲାଙ୍କ ପରୀକ୍ଷା ରହିଛି । ସରକାର ୨୪ ଘଣ୍ଟା ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ କରି ସରକାର ସାଧାରଣ ଜନତାଙ୍କୁ ଭକୁଆ ବନାଉଛନ୍ତି ବୋଲି ସଚେତନ ନାଗରିକ ମଂଚ ପକ୍ଷରୁ ଅଭିଯୋଗ ହୋଇଛି । ଏଥିସହ ଏହାର ପ୍ରତିବାଦରେ ମଞ୍ଚ ପକ୍ଷରୁ ଆଜି ବ୍ରହ୍ମପୁର ସ୍ଥିତ ସାଉଥକୋ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ଗଣ ସଂଗଠନ ସମେତ ବାମପନ୍ଥୀ ଓ ଅନ୍ୟ ରାଜନୈତିକ ଦଳମାନେ ଯୋଗଦେଇ ସରକାରଙ୍କ ଏଭଳି ନୀତିକୁ ତୀବ୍ରନିନ୍ଦା କରିଥିଲେ । ଏଥିସହ ଏଭଳି ଅଘୋଷିତ ବିଦ୍ୟୁତ୍ କାଟକୁ ତୁରନ୍ତ ବନ୍ଦ କରିବା ପାଇଁ ଉପସ୍ଥିତ ନେତୃବୃନ୍ଦ ଦୃଢ଼ଦାବି ଉପସ୍ଥାପନ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଭୟଙ୍କର ଜନଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଗଣବିକ୍ଷୋଭରେ ମାନବିକ ଅଧିକାର ସୁରକ୍ଷା ମଂଚ ପକ୍ଷରୁ ଅବନୀ କୁମାର ଗୟା, ସିପିଆଇ(ଏମ୍-ଏଲ୍) ରେଡ଼ଷ୍ଟାରର ଜିଲ୍ଲା ସଂପାଦକ ଶଙ୍କର ସାହୁ, ସିିପିଆଇ(ଏମ୍)ର ଜିଲ୍ଲା ସଂପାଦକ କୈଳାସ ସଡ଼ଙ୍ଗି, ସିଆଇଟିୟୁ ନେତା ଯୁଧିଷ୍ଟୀର ବେହେରା, ସିପିଆଇର ସୁଧାଂଶୁ ପଣ୍ଡା ଓ କଂଗ୍ରେସର ଦୀପକ ପଟ୍ଟନାୟକ, ଏସୟୁସିଆଇର ବିଷ୍ଣୁ ଦାସ,କଂଗ୍ରେସର ପୀତବାସ ପଣ୍ଡା, ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ସରୋଜ ସାବତ, ବିଦ୍ୟୁତ୍ କର୍ମଚାରୀ ସଂଘର ପଂଚାନନ ଜେନା, ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘର ରାମ ପାତ୍ର, ଜନଜାଗରଣ ମଂଚର ଭିକାରୀ ବେହେରା, ଗଂଜାମ ଜିଲ୍ଲା ବିକାଶ ମଂଚର ରାଜେନ୍ଦ୍ର ପଣ୍ଡା, ନବୀନର ରବି ରଥ, ଉତ୍କଳ ଭାରତର ରାଜେନ୍ଦ୍ର ଦଳ ବେହେରା ପ୍ରମୁଖ ବିକ୍ଷୋଭରେ ସାମିଲ୍ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


