
କୁକୁଡ଼ାଖଣ୍ଡି (ସମୃଦ୍ଧ ଓଡିଶା) କରୋନା ଦ୍ୱିତୀୟ ଲହର ଦିନକୁ ଦିନ ଭୟ ସୃଷ୍ଟି କରୁଥିବା ବେଳେ କୁକୁଡ଼ାଖଣ୍ଡି ବ୍ଲକ ଅଧିନରେ ଥିବା ପଦରବାଲି ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟରତ ଥିବା ଦୀପ୍ତିମୟୀ ଦେବୀ(୩୧)ଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥା ମଧ୍ୟରେ ସୋମବାର ପୂର୍ବାହ୍ନ ସମୟରେ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ଦିପ୍ତିମୟୀ ଦେବୀ ଗର୍ଭବସ୍ଥାରେ ସନ୍ତାନ ଜନ୍ମ କରିବା ପରେ କୋଭିଡ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । କୋଭିଡ୍ ଗାଇଡ ଲାଇନ ଅନୁସାରେ ବ୍ରହ୍ମପୁରରେ ଶବ ସଂସ୍କାର ହୋଇଥିଲା । ଶବ ସତ୍କାର ସମୟରେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ସିଡିପିଓ କୁସୁମ କୁମାରୀ ସାହୁ, ବଡ଼ ବଜାର ଏସଡିପିଓ ପ୍ରମୁଖ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରେଡ୍ କ୍ରଶ ତରଫରୁ ୨୦୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଜୀବ ବୋଲି ବିଡିଓ ସୂଚନା ଦେଇଛନ୍ତି । ସେ ଜଣେ ମିଷ୍ଟଭାଷୀ, ସରଳ ମହିଳା ଥିଲେ । ତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।