ଅଙ୍ଗନବାଡି କର୍ମୀ ଓ ସୁପରଭାଇଜାରମାନଙ୍କ ବୃତ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ : ୩୨ଦିନିଆ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆଜି ଆରମ୍ଭ ହୋଇଯାଇଛି ସୁପରଭାଇଜର ଓ ଅଙ୍ଗନବାଡି କର୍ମୀମାନଙ୍କ ବୃତ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ । ଏହି ତାଲିମ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇ ୩୨ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୪ଟି ଜିଲ୍ଲା ଯଥା- ଅନୁଗୁଳ, ମାଲକାନଗିରି, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୧୪୦ଜଣ ଅଙ୍ଗନବାଡି କର୍ମୀମାନଙ୍କୁ ଓ ୬ଟି ଜିଲ୍ଲା ଯଥା- ସୁନ୍ଦରଗଡ, ନୟାଗଡ, ଝାରସୁଗୁଡା, ରାୟଗଡା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରୁ ମୋଟ ୨୫ ଜଣ ସୁପରଭାଇଜରମାନଙ୍କୁ ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୪ଟି ବିଷୟ ଯଥା ସାଧାରଣ ସୂଚନା (General Orientation), ଆଦ୍ୟ ଶୈଶବ ଯନି ଓ ଶିକ୍ଷା (Early Childhood Care Education), ଗୋଷ୍ଠୀ ସହଯୋଗ(Community Participation) ଏବଂ ସ୍ୱାସ୍ଥ୍ୟ ଓ ପୁଷ୍ଟି(Health and Education) ଉପରେ ବିଶେଷ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଶ୍ରେଣୀଭିତ୍ତିକ ଜ୍ଞାନ, ଭୂମିକା ଅଭିନୟ, ସଚେତନତା ବାର୍ତ୍ତାର ଅଭ୍ୟାସ ସହ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରର କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ପ୍ରକାର ପ୍ରଦର୍ଶନ ଆଦି ଏହି ତାଲିମ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ । ଏହି ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ୧୦ ଜଣ ବିଷୟ ବିଶେଷଜ୍ଞ ତାଲିମ ପ୍ରଦାନ କରିବେ । ଏହା ଛଡା ଡିଜିଟାଲାଇଜେସନକୁ ଉତ୍ସାହିତ କରି ସରକାରଙ୍କ ବିଭିନ୍ନ ସୋସିଆଲ ମିଡିଆ ଓ ଆପ୍ଲିକେସନର ବ୍ୟବହାର ବିଷୟରେ ମଧ୍ୟ ଶିକ୍ଷା ଦିଆଯାଉଛି । ଏହା ସହ ପ୍ରତିଦିନ ସକାଳେ ସେମାନଙ୍କ ପାଇଁ ଯୋଗାଭ୍ୟାସ ଓ ବ୍ୟାୟାମ କେନ୍ଦ୍ରରେ ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ଦ୍ୱାରା ବ୍ୟାୟାମ ଅଭ୍ୟାସ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *