ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ସ୍ଥିତ ୧୬ନଂ ଜାତୀୟ ରାଜପଥ ଜୟଶ୍ରୀ ଛକ ନିକଟରେ ବୁଧବାର ଅଟୋ ଓ ଗ୍ୟାସ ଟ୍ୟାଙ୍କର ମଧ୍ୟରେ ଧକ୍କା ହୋଇଥିଲା ଫଳରେ ଅଟୋଟି ଓଲଟି ଅଟୋରେ ବସିଥିବା ୨ ଶିଶୁ ସମେତ ୭ ଆହାତ ହୋଇଥିବା ଜଣାପଡିଛି । ଆହାତ ମାନଙ୍କୁ ଗଞ୍ଜାମ ଥାନା ପୋଲିସ୍ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁଯାୟୀ ରମ୍ଭା କଲେଜ ଛକ ନିକଟରୁ ଏକ ଯାତ୍ରୀବାହୀ ଅଟୋ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗଞ୍ଜାମ ଜୟଶ୍ରୀ ଛକ ନିକଟ ଜାତୀୟ ରାଜପଥରେ ଏକ ଟ୍ରକ ଅଟୋ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଅଟୋଟି ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା । ଅଟୋରେ ବସିଥିବା ୨ ଶିଶୁଙ୍କ ସମେତ ୭ ଜଣ ଆହାତ ହୋଇଛନ୍ତି । ଆହାତ ମାନେ ହେଲେ ରମ୍ଭା ଅଂଚଳର କେ. ତୁଳସମା ରେଡ୍ଡି, ଆର୍. ବୁଲୁ, ଚନ୍ଦ୍ରାମ୍ମା, ଜି. ଲକ୍ଷ୍ମୀ, କ୍ରିଷ୍ଣା ପାତ୍ର, ଶିବ ରେଡ୍ଡି ଓ ତିରୁପତି ରେଡ୍ଡି ବୋଲି କୁହାଯାଇଛି । ଛତ୍ରପୁରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ଆହାତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା