ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ମୋଟ ଲୋକ ସଂଖ୍ୟାର ପ୍ରାୟ ୫୦ଭାଗ ଆଦିବାସୀ ଓ ହରିଜନ ଥିବା ବେଳେ ଅଙ୍ଗନୱାଡି ଦ୍ୱାରା ଦୂର ଗାଁ ଅଂଚଳର ମହିଳା ଓ ଶିଶୁ ଉପକୃତ ହୋଇ ଆସୁଥିଲେ । ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଆସୁଥିବା ବେଳେ ସଚେତନତାର ଅଭାବକୁ ଲକ୍ଷ୍ୟ କରି ଯୋଜନା ଗୁଡିକର ଦୂରୁପୋଯୋଗ କରାଯାଉଥିବାରୁ ତାର ସଫଳ ରୂପାୟନ କରାଯାଇପାରୁନାହିଁ । ଜଳେଶ୍ୱରରେ ଅଙ୍ଗନୱାଡି କେନ୍ଦ୍ର ତାହାର ଏକ ଜ୍ୱଳନ୍ତ ଉଦାହରଣ । ଜଳେଶ୍ୱରରେ ଏକ ଉପାନ୍ତ ସମ୍ବେଦନଶୀଳ ଅଂଚଳ । ଏହାର ଲୋକସଂଖ୍ୟା ପ୍ରାୟ ୨.୫ଲକ୍ଷ । ସୁବର୍ଣ୍ଣରେଖା ନଦୀ ଏହାକୁ ଦୁଇଭାଗରେ ବିଭକ୍ତ କରୁଥିବା ବେଳେ ବିଛିନ୍ନାଞ୍ଚଳଭାବେ ପରିଚିତ ରାଇବଣିଆ ଅଂଚଳରେ ମୋଟ ଜନସଂଖ୍ୟାର ୭୫ଭାଗ ଆଦିବାସୀ ଅଟନ୍ତି । ପାହାଡ ଘେରା ଏହି ଅଂଚଳରେ ସଚେତନତା ଅଭାବରୁ କୋମଳମତି ବାଳକ ବାଳିକାମାନେ ବିଦ୍ୟାଳୟକୁ ବିଦ୍ୟାଳୟକୁ ଯାଇନପାରି ଅଙ୍ଗନୱାଡି କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ସେହିପରି ଗର୍ଭବତୀ ଓ ପ୍ରସୂତୀ ମହିଳାମାନେ ଅଙ୍ଗନୱାଡି କେନ୍ଦ୍ର ଦ୍ୱାରା ଅଧିକ ଉପକୃତ ହୋଇଥାନ୍ତି । ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଜଣକ ଘରକୁ ଘର ବୁଲି ପୁଷ୍ଟିସାର ଖାଦ୍ୟ, ଛତୁଆ ଯୋଗାଇବା ସହ ଅନ୍ୟ କେତେକ ସଚେତନତା କରିଥାନ୍ତି । ଏବେ ଅଙ୍ଗନୱାଡି କେନ୍ଦ୍ରରର ପ୍ରତ୍ୟେକ ଶିଶୁ ଲାଗି ୮ଟଙ୍କା(ଚାଉଳ ସହ) ଯୋଗାଇ ଦିଆଯାଏ । ଶିଶୁଟି ୪ଦିନ ଅଣ୍ଡା ପାଉଥିବା ବେଳେ ୧ଦିନ ସୋୟାବିନ୍ ଓ ୧ଦିନ ଡାଲମା ଦେବାର ବ୍ୟବସ୍ଥା ରହିଛି । ତେଣୁ ଗ୍ରାମାଂଚଳରେ ଏବଂ ଆଦିବାସୀ ଅଂଚଳରେ ଅଙ୍ଗନୱାଡିର କାର୍ଯ୍ୟ ସମସ୍ତଙ୍କର ପ୍ରଶଂସନୀୟ ହୋଇ ଆସିଛି । କିନ୍ତୁ ୨୦୧୮ ଜାନୁଆରୀ ୧୫ ତାରିଖରୁ ଜଳେଶ୍ୱର ବ୍ଲକରେ ସିଡିପିଓ ନାହାନ୍ତି । ତେଣୁ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି । ଚଳିତବର୍ଷ ଅଧିକ ଗ୍ରୀଷ୍ମ ପ୍ରବାହ, ନିର୍ବାଚନ ଓ ଫଣି ଆଳରେ ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନେ ଦୀର୍ଘଦିନ ଧରି କେନ୍ଦ୍ରକୁ ଆସୁନାହାନ୍ତି ଓ କୋମଳମତି ଶିଶୁମାନେ ମଧ୍ୟ ଆସୁନାହାନ୍ତି । ସରକାରୀ ନିୟମ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ଗୁଡିକ ଛୁଟି ପଡିଥିବାରୁ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଛୁଟି ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି । ଫଳରେ କୋମମତି ଶିଶୁ ମାନଙ୍କୁ ଖାଦ୍ୟ ଦିଆଯାଉନାହିଁ । ତେଣୁ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ । କେତେକ ଅଙ୍ଗନୱାଡି କେନ୍ଦ୍ରରେ ଖାଦ୍ୟ କମିଟି ଓ ଯାଞ୍ଚ କମିଟି ଗୁଡିକ ନିଜ ଇଚ୍ଛାର ଅନୁଯାଇ ଗଠନ ହେଉଛି । ଏ ସଂପର୍କରେ ଆଜି ସିଡିପିଓ ଦାୟିତ୍ୱରେ ଥିବା ବିଡିଓ ନିତ୍ୟାନନ୍ଦ ସାହୁଙ୍କୁ ପଚାରିବାରୁ ପୂର୍ବରୁ ଏପରି ଘଟଣା ତାଙ୍କ ନଜରକୁ ଆସିନାର୍ହି । ଆଜି ଅଭିଯୋଗ ପାଇ ସୁପରଭାଇଜର ମାନଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନୱାଡି ସଂଘର ଜିଲା ସଭାପତି ଲକ୍ଷ୍ମୀପ୍ରିୟା ଦାସ ଏପରି ଘଟଣା କାଁଭାଁ ହେଉଥିବା ବେଳେ ସବୁସ୍ଥାନରେ ହେଉନାହିଁବୋଲି ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି । କିନ୍ତୁ ଜଳେଶ୍ୱରର ବହୁ କେନ୍ଦ୍ରରେ ବିଭିନ୍ନ ଅଭିଯୋଗ ପ୍ରତିଦିନ ଦୃଷ୍ଟି ଗୋଚର ହେବାରେ ଲାଗିଛି । ପ୍ରଶାସନ ଯଥାଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା