

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଏନଏସିକୁ ମ୍ୟୁନିସପାଲଟି କରିବା ନିମନ୍ତେ ଯେଉଁ ପ୍ରକ୍ରିୟା ଚାଲିଛି ସେଥିରେ ଛତ୍ରପୁର ସହର ନିକଟସ୍ଥ ଚିକଲଖଣ୍ଡି ପଞ୍ଚାୟତର ବାସନାପଲ୍ଲୀ ଗାଁ, ଦାମିୟାନ ନଗରକୁ ସାମିଲ କରିବା ପାଇଁ ଗ୍ରାମବାସୀମାନଙ୍କ ପକ୍ଷରୁ ଦାବୀ କରାଯାଇଛି । ସେହିପରି ଶାନ୍ତିନଗର ଅଞ୍ଚଳର ଅଧା ଏହି ଏନଏସିରୁ ବାଦ ପଡୁଥିବାରୁ ସେହି ଅଞ୍ଚଳକୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ମ୍ୟୁନିସପାଲଟି ପ୍ରକ୍ରିୟା ଜୋରସୋରରେ ଚାଲିଥିବା ବେଳେ ଏହି ଗ୍ରାମବାସୀମାନେ ନିଜର ସହମତି ଜଣାଇ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ଏକ ନିବେଦନ ପତ୍ର ପ୍ରଦାନ କରିଥିଲେ । ଛତ୍ରପୁର ସହରର ଅତି ନିକଟରେ ରହି ଏନଏସିର ସମସ୍ତ ସୁବିଧାରୁ ବଞ୍ଚିତ ରହିଅଛୁ । ଏଣୁ ମ୍ୟୁନିସପାଲଟିରେ ଏହି ଅଞ୍ଚଳ ସାମିଲ ହୋଇଗଲେ ସମସ୍ତ ସୁବିଧା ପାଇ ପାରିବୁ ବୋଲି ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳଙ୍କ ନେତୃତ୍ୱରେ ଆଜି ସମସ୍ତ ସାହି ବାସିନ୍ଦା ଏକାଠି ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଫେରାଦ ଜଣାଇଛନ୍ତି । ଏହି ପ୍ରକ୍ରିୟାରେ ୪ଟି ରାଜସ୍ୱ ଗାଁକୁ ସାମିଲ କରିବା ପାଇଁ ପୂର୍ବରୁ ଛତ୍ରପୁର ଏନଏସି ଚିକଲଖଣ୍ଡି, କଣମଣା, ପୋଡାପଦର ଓ ଅଗସ୍ତିନୂଆଗାଁ ପଞ୍ଚାୟତର ସରପଞ୍ଚଙ୍କୁ ପ୍ରସ୍ତାବ ମଗାଯାଇଥିଲା । ସେଥିରୁ କଣମଣା ଓ ଅଗସ୍ତିନୂଆଗାଁ ପଞ୍ଚାୟତ ତରଫରୁ ସହାମତିର ପ୍ରସ୍ତାବ ଆସିଥିଲା ବୋଲି ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା