ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ନିଜସ୍ୱ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଅଧ୍ୟକ୍ଷତାରେ ଓଡିଆରପି ଗୃହ ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଫାଇଲିନ୍ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକରେ ବାତ୍ୟା ନିରୋଧକ ଗୃହ ଗତ ୨୦୧୪ ମାର୍ଚ୍ଚ ମାସ ଠାରୁ ବିଶ୍ୱ ବ୍ୟାଙ୍କ ସହାୟତାରେ ନିର୍ମାଣ କରାଯାଇଛି । ଜିଲ୍ଲାର ୫ଟି ଉପକୂଳବର୍ତ୍ତୀ ବ୍ଲକ ମଧ୍ୟରେ ଚିକିଟି, ରଙ୍ଗେଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ ଓ ଖଲିକୋଟ ରହିଛି । ଏହି ବ୍ଲକ ଗୁଡିକରେ ୧୬ହଜାର ୨୯୦ଟି ଓଡିଆରପି ଗୃହ ନିର୍ମାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ଏଥି ମଧ୍ୟରୁ ୧୫ହଜାର ୨୨୨ଟି ଗୃହ ନିର୍ମାଣ ହୋଇଯାଇଛି । ହିତାଧିକାରୀଙ୍କୁ ଗୃହ ହସ୍ତାନ୍ତର ହୋଇଥିଲେ ସୁଧା ଏପର୍ଯ୍ୟନ୍ତ କେତେକ ଗୃହରେ ହିତାଧିକାରୀମାନେ ରହୁନଥିବା ଜଣାପଡିଛି । ଗୃହ ମିଳିଥିବା ହିତାଧିକାରୀମାନେ ତୁରନ୍ତ ଗୃହ ରହିବା ନିମନ୍ତେ କନିଷ୍ଠ ଯନ୍ତ୍ରୀ ଓ ବ୍ଲକ କର୍ମଚାରୀମାନେ ପ୍ରବର୍ତାଇବାକୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଓଡିଆରପି କଲୋନୀ ଗୁଡିକରେ ଆବଶ୍ୟକୀୟ ଅନୁସାରେ ପାନୀୟ ଜଳ ଯୋଗାଣ, ରାସ୍ତା, ବିଦ୍ୟୁତ୍, ଓଭରହେଡଟ୍ୟାଙ୍କ ଓ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥାର କାର୍ଯ୍ୟ ସଠିକ୍ ଭାବେ ଚାଲିଛି କି ନାହିଁ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ସେଠୀ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ପଚାରିବୁଝିଥିଲେ । ଛତ୍ରପୁର ବ୍ଲକରେ ୨୨୯୩ଟି ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୨୨୮୦ଟି ଗୃହ ନିର୍ମାଣ କାର୍ଯ୍ୟ ସରିଛି । ସେହିପରି ଗଂଜାମ ବ୍ଲକର ୩୬୦୨ ଗୃହ ମଧ୍ୟରୁ ୩୫୯୨ଟି ଗୃହ ନିର୍ମାଣ କାର୍ଯ୍ୟ ସରିଛି । ଖଲିକୋଟ ବ୍ଲକର ୩୦୭୫ରୁ ୩୦୬୦ଟି ଶେଷ ହୋଇଛି । ଚିକିଟି ବ୍ଲକର ୩୧୦୭ ରୁ ୩୦୫୨ ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକର ୪୨୧୩ରୁ ୩୨୦୪ ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବୈଠକରୁ ଜଣାପଡିଛି । ଏହି ବୈଠକରେ ସିଜିଏମ୍ ଦେବବ୍ରତ ଜେନା, ନିର୍ବାହୀ ଯନ୍ତ୍ରୀ ରାମେୟା ପଣ୍ଡା, ସହକାରୀ ଯନ୍ତ୍ରୀ ଦିଲ୍ଲୀପ ବେହେରା, ଜିଲ୍ଲା ସଂଯୋଜିକା ମଲିକା ମୋଲନି ମାନସିଂଙ୍କ ସମେତ ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ ଲକ୍ଷ୍ମୀକାନ୍ତ ସେଠୀ ଶୁକ୍ରବାର ଦିନ ଦାୟିତ୍ୱ ଗ୍ରହଣ କଲାପରେ ଗତକାଲି ସେ ଓଡିଆରପି ଗୃହ ସଂପର୍କିତ ପ୍ରଥମ ସମୀକ୍ଷା କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା