ଛତ୍ରପୁର (ସମୃଦ୍ଧ ଓଡିଶା) ଛତିଶଗଡ ରାଜ୍ୟରୁ ୧୨ଟି ପରିବାର କିଛି କାମ ଆଶାରେ ଗଞ୍ଜାମ ଜିଲାକୁ ଆସିଥିଲେ । ତେବେ ସେମାନେ ଜାଣିନଥିଲେ କି ଲକଡାଉନରେ ସେମାନେ ଏଭଳି ଫସିଯିବେ । ନା ସେମାନଙ୍କୁ କିଛି କାମ ମିଳୁଥିଲା ନା ସେମାନେ କେଉଁ ଆଡ଼େ ଯାଇ ପାରୁଥିଲେ । ୧୨ଟି ପରିବାରର ପିଲାଛୁଆଙ୍କୁ ମିଶାଇ ୬୪ ଜଣ ବିଲ ମଧ୍ୟରେ ଦିନ କାଟୁଥିଲେ । ଛତ୍ରପୁର ବ୍ଲକ୍ ଲକ୍ଷ୍ମୀପୁର ପଞ୍ଚାୟତ ଗୋବିନ୍ଦପୁର ବିଲ ମଝିରେ ଛୋଟ ଛୋଟ ୧୨ଟି କୁଡିଆ କରି ସେମାନେ ରହୁଥିଲେ । କୁଡିଆର ଅବସ୍ଥା ନକହିଲେ ସରେ । ବର୍ଷା ହେଲେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡୁ ଥିଲା । କରୋନ ସଂକ୍ରମଣ ରୋକିବା ପାଇଁ ଲଗାତର ଦୁଇ ଦୁଇ ଥର ଲକଡାଉନ ଅବଧି ବୃଦ୍ଧି ପାଇବାରୁ ତାହାର ଗରୁୁତର ପ୍ରଭାବ ଏହି ଯାଯାବରଙ୍କ ଉପରେ ପଡିଥିଲା । ଲକଡାଉନ ସମୟରେ କେହି ଯେପରି ଭୋକିଲା ନ ରହିବେ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏମାନଙ୍କ ପାଖରେ ଏହି ଯାଯାବରଙ୍କ ପାଖରେ ଏହି ସବୁ ସୁବିଧା ଅପହଞ୍ଚ ପାଲଟି ଥିଲା । ଭଗବାନଙ୍କ ଭରସାରେ କୁଡିଆ ତଳେ ସେମାନଙ୍କ ଜୀବନ ବିତୁଥିଲା । ସେମାନଙ୍କ ସହିତ ଛୋଟ ଛୋଟ ଶିଶୁ ମଧ୍ୟ କୁଡ଼ିଆରେ ରହୁଥିଲେ । ଏପରିକି ସେଠାରେ ଏକ ଶିଶୁ ମଧ୍ୟ ଜନ୍ମ ନେଇଥିଲା । ପାଖରେ ଟଙ୍କା ନଥିବାରୁ ଶିଶୁର ଠିକ୍ ଭାବେ ଲାଳନପାଳନ ହୋଇପାରୁନ ଥିଲା । ଲକଡାଉନ ସରିବା ପରେ ସେମାନେ ଘର ବାହୁଡା ହୋଇ ଜୀବିକା ଯନ୍ତ୍ରଣାରୁ କେବେ ମୁକୁୁଳିବେ ତାହାକୁ ସେମାନେ ଚାହିଁ ବସିଥିଲେ । ଏଥି ମଧ୍ୟରେ ଗଣମାଧ୍ୟମରୁ ଖବର ପାଇ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ତରଫରୁ ସେମାନଙ୍କୁ ୧୫ ଦିନର ଶୁଖିଲା ଖାଦ୍ୟ ସାମଗ୍ରୀ ଯଥା :- ଡାଲି, ଚାଉଳ, ଚୁଡା, ଚିନି, ଅଟା, ତେଲ ପେକେଟ୍, ଆଳୁ, ପିଆଜ, ମଶା ଧୂପ, ବିସ୍କେଟ୍, ସାବୁନ୍ ଏବଂ ବିଭିନ୍ନ ପ୍ରକାରର ରାସନ ସାମଗ୍ରୀ ଦିଆଯାଇଥିବା ଖବର ‘ସମୃଦ୍ଧ ଓଡିଶା’ରେ ପ୍ରସାରିତ ହେବା ପରେ ଆଜି ପ୍ରଶାସନର ଆଖି ଖୋଲିଲା । ଆଜି ସେଇ ୧୨ ଅସହାୟ ପରିବାରଙ୍କୁ ଲକ୍ଷ୍ମୀପୁରର ସ୍କୁଲକୁ ସ୍ଥାନାନ୍ତର କରାଯିବା ସହ ସଭିଙ୍କୁ ମାସ୍କ୍ ବଣ୍ଟନ କରାଯାଇଛି । ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶାର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ୍, ସଭାନେତ୍ରୀ ରଞ୍ଜନା ମିଶ୍ରଙ୍କ ପ୍ରୟାସରେ ଏହିସବୁ ସମ୍ଭବ ହୋଇ ପାରିଛି ବୋଲି ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା