ଇଏ ମଧ୍ୟ ନୀଳାଚଳିଆଙ୍କର ଏକ ମାନବୀୟ ଲୀଳା ।ଆମ ଓଡ଼ିଆ ଘର ଚାଲି ଚଳଣୀ ଅନୁଯାୟୀ କିଏ କୁଆଡୁ ଆମ ଘରକୁ କୁଣିଆ/ଅତିଥି ଆସିଲେ ଆମେ ପ୍ରଥମେ ତାଙ୍କ ଗୋଡ଼ ଧୋଇ ଦେଉ ବା ତାଙ୍କୁ ଗୋଡ଼ ଧୋଇବାକୁ ପାଣି ଦେଉ।ତା’ପରେ ତାଙ୍କୁ ପାଣି ପଣା ଦେଇ ସାଷ୍ଟାମ ବା ଆରାମ କରିବାକୁ ଦେଉ । ଠିକ୍ ସେମିତି ଜଗତସାଇଁ ଜଗନ୍ନାଥ ଯେତେବେଳେ ନବଦିନାତ୍ମକ/ପତିତ ପାବନ ଯାତ୍ରାସାରି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚନ୍ତି, ସେତେବେଳକୁ ରାତି ହୋଇସାରିଥାଏ,ଏବେ ଅବଶ୍ୟ ଶୀଘ୍ର ଶୀଘ୍ର ସଂଧ୍ୟାପୂର୍ବରୁ ପହଞ୍ଚି ଯାଉଛନ୍ତି,ଯଥାରୀତି ନୀତିସମ୍ପନ୍ନ ହୋଇ ରଥଉପରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି।ପୂର୍ବେ ସେହି ଦିନ ହିଁ ଅଧରପଣା ନୀତି ଅନୁଷ୍ଠିତ ହେଉଥିଲା ଓଡ଼ିଆ ଘର ପ୍ରଥାକୁ ଅନୁସରଣ କରି। ମାତ୍ର ରଥଟଣାର ନିର୍ଦ୍ଦିଷ୍ଟ ସମୟ ନଥିବାରୁ ତା’ପର ଦିନ ଶ୍ରୀଜୀଉମାନଙ୍କୁ ଓଡ଼ିଆ ଘରଭଳି ସାଷ୍ଟାମ କରିବାକୁ ପଣା/ପାଣି ବ୍ୟବସ୍ଥା କରା ଯାଉଥିଲା, ପ୍ରଭୁଙ୍କର ଅଧର ପର୍ଯ୍ୟନ୍ତ ଲମ୍ବିଥିବାରୁ ଏହି ମାଟି ହାଣ୍ଡି ଵା ତୁମ୍ବ (ତୁମ୍ବ ଆକାର)ଗୁଡ଼ିକୁ ଅଧର(ହାଣ୍ଡି)ପଣା ବା ଅଧରପଣା କୁହାଯାଏ ।ଏହା ଏକାଦଶୀ ଦିନ ସମ୍ପନ୍ନ ହେଉଥିଲା, ଏକାଦଶୀ ଦିନ ପ୍ରତି ରଥରେ ଦୁଇ ହାଣ୍ଡି କରି ୬ ହାଣ୍ଡି ଏବଂ ପରଦିନ ଦ୍ଵାଦଶୀଦିନ ପ୍ରତିରଥରେ ୧ହାଣ୍ଡିକରି ତିନିହାଣ୍ଡି ପଣା ଭୋଗ କରାଯାଉଥିଲା,ଦୁଇଦିନରେ ସର୍ଵମୋଟ ୯ ହାଣ୍ଡି ପଣା ଭୋଗ କରାଯାଉଥିଲା ତିନି ରଥରେ ଅଧରପଣା ନୀତିରେ।ମାତ୍ର ଏକାଦଶୀ ଦିନ ଠାକୁରମାନେ ବଡ଼ତଢାଉ(ସୁନାବେଶ)ବେଶ ହେଉଥିବାରୁ ପ୍ରବଳ ଜନସମାଵେଶ ହୁଏ, ଫଳତଃ ଅଧରପଣା ନୀତି ସେହିଦିନ ସମ୍ପନ୍ନ ହେବାରେ ବହୁତ ଅସୁବିଧା ହେଲା ।ପୁନଶ୍ଚ ସେଦିନ ହରିଶୟନ ଏକାଦଶୀ ନୀତି ପାଳନରେ ମଧ୍ୟ ବ୍ୟାଘାତ ହେଲା।ତେଣୁ ଅନେକ ବର୍ଷ ହେଲାଣି ଏ ବ୍ୟବସ୍ଥାରେ ପରିବର୍ତ୍ତନକରି ଦ୍ଵାଦଶୀ (ଗରୁଡ ଦ୍ଵାଦଶୀ)ଦିନ ପ୍ରତିରଥରେ ତିନିହାଣ୍ଡି ଲେଖାଏଁ ୯ହାଣ୍ଡିପଣା ଭୋଗ କରାଯାଉଛି ଅଧରପଣା ନୀତିରେ ।ଏହାର ମଧ୍ୟ ଇତିହାସ ରହିଛି,ପଣା ପ୍ରସ୍ତୁତି ନିମନ୍ତେ ରାଘବଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ୩ଟି ଲେଖାଏଁ ହାଣ୍ଡି/ତୁମ୍ବ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଏ, ଅବଶିଷ୍ଟ ୩ଟି ହାଣ୍ଡି ଶ୍ରୀନଅର ପକ୍ଷରୁ ଯୋଗାଇ ଦିଆଯାଉଥିଲା । ଶ୍ରୀମନ୍ଦିର ପରିଚାଳନା ରାଜ୍ୟ ସରକାର ହାତକୁ ନେବାପରେ ଏବେ ଶ୍ରୀନଅର ସ୍ଥାନରେ ଶ୍ରୀମନ୍ଦିର ପରିଚାଳନା କମିଟି ୩ଟି ହାଣ୍ଡି ଯୋଗାଇଦେଉଛନ୍ତି । ଯେମିତି ଏହି ଦଶାବତାର ଯାତ୍ରାକୁ ନବଦିନାତ୍ମକ ଯାତ୍ରା କୁହାଯାଏ ସେମିତି ଅଧରପଣାରେ ୯ ହାଣ୍ଡି ପଣା ଭୋଗ କରାଯାଏ, ସେଥିରେ ପୁଣି ୯ପ୍ରକାର ଦ୍ରବ୍ୟ ବ୍ୟବହାର କରାଯାଏ। ଯଥା: ଦୁଗ୍ଧ, ସର, ଛେନା, ଛାଚି(ନବାତ/ଖଣ୍ଡ), କଦଳୀ, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଘୋରା ଏବଂ ଜଳ । ଅନେକ ବର୍ଷ ପୂର୍ବେ ରଥରେ ବିଜେ ପ୍ରତିମା ରାମ, କୃଷ୍ଣ ଓ ମଦନମୋହନଙ୍କ ସକାଶେ ଅଧିକ ତିନିହାଣ୍ଡି(ମୋଟ୧୨ ହାଣ୍ଡି)ପଣା ଭୋଗ କରାଯାଉଥିଲା,କାଳକ୍ରମେ ସେ ବ୍ୟବସ୍ଥା ବନ୍ଦ ହୋଇ ବର୍ତ୍ତମାନ ସେଇ ୯ ହାଣ୍ଡି ଅଧରପଣା ପ୍ରସ୍ତୁତ ହେଉଛି। ନବଗ୍ରହ, ନବରାତ୍ରି, ନବଧା ଭକ୍ତି, ନବଦିଗନ୍ତ, ନବପଲ୍ଲବ, ନଵପତ୍ରିକା ଭଳି ଏକ ଅଙ୍କ ବିଶିଷ୍ଟ ସବୁଠୁ ବଡ଼ସଂଖ୍ୟା ‘୯’ ହେଉଛି ଶ୍ରୀଜୀଉମାନଙ୍କର ପ୍ରିୟ ସଂଖ୍ୟା । ଏଇ ଯୋଉ ଅଧରପଣା,ସିଂହଦ୍ଵାର ସମ୍ମୁଖସ୍ଥ ଛାଉଣୀ କୂପରୁ ଆସିଥିବା ୩୦୦ ଗରା(ରଥପ୍ରତି ୧୦୦ଗରା) ଜଳରେ ପ୍ରସ୍ତୁତ ହୁଏ, ଯାହାକୁ ଯୋଗାଇଦିଅନ୍ତି ପାଣିଆପଟ ସେବକମାନେ ଅତ୍ୟନ୍ତ ଶୁଦ୍ଧପୁତ ଭାବରେ।ତା’ପରେ ପାଳିଆସେବକମାନେ ମୁଖରେ ବାଘନଖି(ତୁଣ୍ଡୀ) ବାନ୍ଧି ପଣା ପ୍ରସ୍ତୁତିରେ ଲାଗିପଡନ୍ତି ।ଠାକୁରମାନଙ୍କ ଅଧର ପର୍ଯ୍ୟନ୍ତ ଲମ୍ବିଥିବା ବିରାଟ ବିରାଟ ତୁମ୍ବଗୁଡିକର ମୁହଁରେ ନୁତନସରୁ ଶୁଭ୍ରକପଡା ବନ୍ଧାଯାଏ ସବୁପଦାର୍ଥକୁ ଭଲଭାବରେ ଛାଣିବା ନିମନ୍ତେ,ଯଶୋଦା ମା’ଙ୍କର ଗେଲଵସରିଆ କଳାକାହ୍ନୁ ତ କାଳେ କ’ଣ ଲାଗିଯିବ ପ୍ରଭୁଙ୍କ ତଣ୍ଟିରେ ! ଅଧରପଣା ନୀତିର ଆଉ ଏକ ଅର୍ଥ ହେଲା,ଯିଏ ଧରାଦିଅନ୍ତି ନାହଁ ବା ତାଙ୍କୁ ଧରିବା ଏତେ ସହଜ ନୁହେଁ ସେଇ “ଅଧର” ବା ବିନା ତପ,କଷ୍ଟ ବା ସାଧନାରେ ଧରା ଦେଉନଥିବା କୋଟି କୈବଲ୍ୟନାଥ ନୀଳାଦ୍ରିନାଥ ଜଗନ୍ନାଥସ୍ବାମୀଙ୍କ ଉଦ୍ଦେଶ୍ୟରେ ଲାଗିହେବାକୁଥିବା ପଣା, ଅଧରପଣା ।ଏହି ପଣାର ଭାଗ ମାପ ହେଲା ୨ ଭାଗ ଜଳ ଏକ ଭାଗ ନବାତ ଏବଂ ଅନ୍ୟାନ୍ୟ ସବୁ ଏକ ଭାଗ ଲେଖାଏଁ । ଏହି ପଢ଼ାରେ ୪୨ଟି କଦଳୀ ଲାଗୁଥିବା ରୁ କେହି କେହି ଏହାକୁ ତିନିରଥର ୪୨ଟି ଚକ ସହ ଯୋଡି ଥାଆନ୍ତି।ଯିବା ଆସିବା ଏମିତି ୪୨+୪୨=୮୪ ଜନ୍ମରୁ ମୁକ୍ତିଲାଭ ମାର୍ଗବୋଲି କହିଥାନ୍ତି।ପଣା ପ୍ରସ୍ତୁତି ସମୟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଭିତରଛ ମହାପାତ୍ର, ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥରେ ତଳୁଛ ମହାପାତ୍ର,ମା’ କାମ୍ପିଲ୍ୟ ବାସିନୀ ସୁଭଦ୍ରାଙ୍କ ଦେବଦଳନରେ ପାଳିଆ ପୁଷ୍ପାଳକ କନାର ଘେର(ଟେରାବାଡ) ଦେଇଥାଆନ୍ତି।ତା’ପରେ ପୂଜାପଣ୍ଡା ସେଵକ ତ୍ରୀମୂର୍ତ୍ତୀଙ୍କୁ ଏହି ପଣା ଭୋଗ ଅର୍ପଣ କରିଥାନ୍ତି। ଏହି ଅଧରପଣା ନୀତିର ଅନ୍ତିମ ଏବଂ ତାତ୍ପର୍ଯ୍ୟପୂର୍ଣ୍ଣ ଅଂଶଟି ହେଲା ଶ୍ରୀଜୀଉମାନଙ୍କୁ ଅର୍ପଣପରେ ଏହି ଅଧର ଲମ୍ବିତ ପଣା ହାଣ୍ଡିଗୁଡ଼ିକୁ ଭାଙ୍ଗି ଦିଆଯାଏ,ଠାକୁରଙ୍କ ଅନ୍ୟପ୍ରସାଦପରି ଭକ୍ତମାନଙ୍କ ମଧ୍ୟରେ ବଣ୍ଟନକରାଯାଇ ନଥାଏ।ଏହାର ଏକ କାରଣ ଦ୍ଵାପର ଯୁଗରେ ପ୍ରଭୁ ବାଳକୃଷ୍ଣଙ୍କ ଦ୍ଵାରା ଦହି ହାଣ୍ଡି ଭଙ୍ଗା ନୀତି ସହିତ ସମ୍ପୃକ୍ତି।କିନ୍ତୁ ଏହାର ଅନ୍ୟତମ ଏବଂ ମୁଖ୍ୟ କାରଣ ହେଲା ତିନିରଥରେ ଥିବା ପାର୍ଶ୍ଵଦେବତାମାନଙ୍କୁ ଏତକ ଦିନ କିଛି ଭୋଗ ଲାଗିନଥାଏ,ପୁଣି ରଥସହିତ ଅନେକ ଅଶରୀରୀ ଆତ୍ମା,ଭୁତ ପ୍ରେତାଦି ଯାଇଥାନ୍ତି,ଶ୍ରୀଜୀଉମାନଙ୍କୁ ଲାଗି ପ୍ରସାଦପାଇ ମୋକ୍ଷଲାଭ ନିମନ୍ତେ ସେମାନଙ୍କର ମଧ୍ୟ ଲାଳସା ଥାଏ। ତେଣୁ ସେମାନଙ୍କର ସନ୍ତୋଷ ବିଧାନ ସକାଶେ ଏହି ଅଧର ପଣା ହାଣ୍ଡି ଗୁଡ଼ିକୁ ଭୋଗପରେ ରଥ ଉପରେ ଭାଙ୍ଗି ଦିଆଯାଏ।ସେମାନେ ରଥରଚାରିପଟୁ ଝରିପଡୁଥିବା ସେହିଅମୃତପଣା ପାଇ ତୁଷ୍ଟହୁଅନ୍ତି ଓ ମୂକ୍ତିଲାଭ କରନ୍ତି । ଏଇହେଲା ସେଇ ଅଧର ପଣା ନୀତିର ରହସ୍ୟ ଏବଂ ତାତ୍ପର୍ଯ୍ୟ।
ଜୟ ଜଗନ୍ନାଥ।
ଜୟନ୍ତ ପଟ୍ଟନାୟକ