


ଛତ୍ରପୁର (ସମୃଦ୍ଧ ଓଡିଶା) ଅନସ୍ଲୋ ହାଇସ୍କୁଲରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଏହି ମହୋତ୍ସବ ପାଳନ ଅବସରରେ ଅନସ୍ଲୋ ହାଇସ୍କୁଲ ପକ୍ଷରୁ ସଚେତନ ସଭା କରାଯାଇ ବୃକ୍ଷରୋପଣ କରାଯାଇଥିଲା । ଏହାପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି ବୃକ୍ଷର ଉପକାରିତା ସଂପର୍କରେ ଆଲୋଚନା କରିଥିବା ବେଳେ ମୁକ୍ୟବକ୍ତା ଭାବେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସାମାଜିକ କର୍ମୀ ଅରୁଣ ଶତପଥୀ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ବ୍ୟାପକ ବୃକ୍ଷରୋପଣ ସହିତ ବୃକ୍ଷର ସୁରକ୍ଷା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିବା ସହିତ ଏଥିରେ ଛାତ୍ରଛାତ୍ରୀମାନେ ସାମିଲ ହେବା ପାଇଁ ନିବେଦନ କରିଥିଲେ । ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦେ ଏବଂ ବରିଷ୍ଠ ଶିକ୍ଷକ ହାଡିବନ୍ଧୁ ଗଡନାୟକ ସମ୍ମାନୀତ ଅତିଥୀ ଭାବେ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଶେଷରେ ବିଦ୍ୟାଳୟ ପରିସରରେ ସମସ୍ତେ ମିଳିମିଶି ବୃକ୍ଷରୋପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜଗଦୀଶ ଚନ୍ଦ୍ର ପଲେଇ ସଂଯୋଜନା କରିଥିଲେ । ଦେବସ୍ମିତା ମହାନ୍ତି ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଇକୋ କ୍ଲବ ସଂପାଦିକା ଅଞ୍ଜନା ବାଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



