ଅନୁସୂଚିତ ଜାତି/ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁମାନଙ୍କର ସମସ୍ୟା ନେଇ ପ୍ରତିବାଦ ସଭା ଓ ଧାରଣା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଲୋୟର ପିଏମ୍ଜି ଠାରେ ବହୁଜନ ଏକତା ପରିଷଦ, ଭୁବନେଶ୍ୱର, ଜମିଏତ୍ ଉଲ୍ମା-ଏ-ହିନ୍ଦ୍, ଭାରତୀୟ ବୌଦ୍ଧ ମହାସଭା, ଓଡ଼ିଶା ଦଳିତ କଲ୍ୟାଣ ପରିଷଦ ଓ ରାଜ୍ୟ ମହିଳା ମହାସଂଘ ତରଫରୁ ଏକ ପ୍ରତିବାଦ ସଭା ହୋଇଥିଲା । ଏହି ସଭାରେ ବହୁଜନ ଏକତା ପରିଷଦର ମାର୍ଗଦର୍ଶକ ପୂର୍ବତନ ମନ୍ତ୍ରୀ ଇଂ ଭଜମନ ବେହେରା ସଭାପତିତ୍ୱ କରିଥିଲେ । ଧାରଣାସ୍ଥଳରେ ଉପରୋକ୍ତ ସଂଗଠନମାନଙ୍କର ନେତୃମଣ୍ଡଳୀ ଉପସ୍ଥିତ ଥାଇ ସମ୍ବିଧାନ ପ୍ରଦତ ସୁବିଧା ସୁଯୋଗ ଠିକ୍ ଭାବରେ ନ ମିଳୁଥିବାରୁ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦିଆଯିବା ସଙ୍ଗେ ସଙ୍ଗେ ସମସ୍ତ କୃଷକ, ଶ୍ରମିକ, ଶିକ୍ଷକ, ଯୁବକ, ଯୁବତୀ, କର୍ମଚାରୀ, ସଂଖ୍ୟାଲଘୁ, ଅନୁସୂଚିତ ଜାତି/ଜନଜାତି, ପଛୁଆବର୍ଗ ଓ ମହିଳାମାନଙ୍କୁ ଆଗାମୀ ଦିନରେ ଅର୍ଥ ଏବଂ ଅନ୍ୟାନ୍ୟ ଉକ୍ରୋଚ୍ଚ ବିନିମୟରେ ଭୋଟ୍ ନଦେବାକୁ ଅନୁରୋଧ କରିଥିଲେ । ସମ୍ବିଧାନ ବ୍ୟବସ୍ଥା ଅନୁସାରେ ସଂଖ୍ୟାନୁପାତିକ ନିଯୁକ୍ତି, ପଦୋନ୍ନତି, ଶିକ୍ଷା ଅଧିକାର ଆଇନ୍, ବାସଗୃହ ଯୋଗାଣ, ନିଶ୍ଚିତ କର୍ମ ଯୋଗାଣ ନହେଲେ ବଂଚିବା ପାଇଁ ଭତ୍ତା, ଭୂମିହୀନଙ୍କୁ ଚାଷ ଉପଯୋଗୀ ଜମି ଯୋଗାଣ, ବୃଦ୍ଧ, ଅକର୍ମଣ୍ୟ ଓ ନିରାଶ୍ରୟମାନଙ୍କୁ ଭତା ଯୋଗାଇବା, ଅନୁସୂଚିତ ଜାତି ଜନଜାତିଙ୍କ ସୁରକ୍ଷା ପାଇଁ ଅପରାଧି ନିରାକରଣ ଆଇନ୍, ନିଶା ନିବାରଣ ଓ ନାରୀ ନିର୍ଯାତନା ନିରୋଧ ଆଇନ୍, ଜଙ୍ଗଲରେ ବାସ କରୁଥିବା ଆଦିବାସୀମାନଙ୍କ ପାଇଁ ଜଙ୍ଗଲ ଅଧିକାର ଆଇନ୍, ପଂଚମ ସୂଚୀ ଅନୁସାରେ ସମସ୍ତ କାର୍ଯ୍ୟ କରିବା ପାଇଁ, ଗ୍ରାମସଭାର ଅନୁମତି, ପ୍ରକୃତ ଆଦିବାସୀ/ଅନୁସୂଚିତ ଜାତିଙ୍କୁ ତାଲାକାଭୁକ୍ତ କରିବା ପାଇଁ ଆଇନ୍ର ବ୍ୟବସ୍ଥା ଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ । ଏଣୁ ଅନେକ ବକ୍ତା ସରକାରଙ୍କ ମନମୁଖୀ କାର୍ଯ୍ୟକୁ ସମାଲୋଚନା କରିବା ସଙ୍ଗେ ସଙ୍ଗେ ସରକାର ବଦଳାଇବାକୁ ମତାମତ ଦେଇଥିଲେ । ଏଣୁ ଶେଷରେ ସଭାପତି ଶ୍ରୀ ଭଜମନ ବେହେରା ସମସ୍ତଙ୍କୁ ନିଜ ନିଜର ଆଭିମୁଖ୍ୟ ପରିବର୍ତନ କରିବା ଉଦ୍ଦେଶ୍ୟରେ କହିଥିଲେ ଯେ, ପ୍ରଥମେ ନିଜେ ନିଜକୁ ବଦଳାଇବ ଦରକାର । ନିଜେ ବଦଳିଲେ, ସରକାର ବଦଳିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନ୍ୟଜୀବୀ ପ୍ରଦ୍ୟୁମ୍ନ ନାୟକ, ଆରପିଆଇ ରାଜ୍ୟ ଅଧ୍ୟକ୍ଷ ଶେଖ ଅବଦୁଲ ୱାଲି, ବହୁଜନ ଏକତା ପରିଷଦର କାର୍ଯକାରୀ ସଭାପତି ଶ୍ରୀ ବନ୍ଧୁ ସେଠୀ, ଅର୍ଜୁନ ମହାକୁଳ, ଉପସଭାପତି ମହେନ୍ଦ୍ର କାୟସ୍ଥ, ମହାସଚିବ ସୁନାକର ବେହେରା, କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀ ଦେବେନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ରବି ନାରାୟଣ ସେଠୀ ଏବଂ ଜମିଏତ୍ ଉଲ୍ମା-ଏ-ହିନ୍ଦ୍ର କର୍ମକର୍ତାମାନେ ଓ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ମା, ଭଉଣୀ ଓ ଅନ୍ୟାନ୍ୟ କର୍ମକର୍ତାବୃନ୍ଦ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

ରିପୋର୍ଟ : ଆକାଶ ମିଶ୍ର