ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ଗଜପତି ଇଣ୍ଡୋର ଷ୍ଟାଡିୟମ ଠାରେ ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ଅନ୍ତଃରାଜ୍ୟ ରବି ରାଉଳ ସ୍କୃତି ଓପନ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଗୁରୁବାର ସନ୍ଧ୍ୟାରେ ଉଦଘାଟନ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ମିଳିତ ଭାବରେ ଏହି ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଉପାନ୍ତ ଅଞ୍ଚଳରେ ଏଭଳି ଅନ୍ତରାଜ୍ୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିଥିବା ଯୋଗୁଁ ଜିଲ୍ଲାପାଳ ଅନୁପମ ଶାହା ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ, ପୌରପରିଷଦ ନିବାହି ଅଧିକାରୀ ଅଶୋକ କୁମାର ରାଉତ, ସାଉଥକ ନିବାହି ଯନ୍ତ୍ରୀ ପଟ୍ଟନାୟକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଆୟୋଜକ ତଥା ସ୍ୱର୍ଗତ ରବି ରାଉଳଙ୍କ ପିତା ପ୍ରତାପ ରାଉଳଙ୍କ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ଓ ଆନ୍ଧ୍ରପ୍ରଦେଶର ପ୍ରାୟ ୮୦ଟି ଦଳ ଅଂଶଗ୍ରହଣ କରିଛନ୍ତି ଏବଂ ଏହା ଆସନ୍ତା ୩ ଦିନ ଧରି ଚାଲିବ ।
ରିପୋର୍ଟ : କୃଷ୍ଣ କୁମାର ବେହେରା